ଚେନ୍ନାଇ: ଆରମ୍ଭ ହୋଇଯାଇଛି ବିଶ୍ବକପ । ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ମ୍ୟାଚ ପୂର୍ବରୁ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ରୋହିତ ବାହିନୀକୁ ଅଧିକ ଶକ୍ତିଶାଳୀ କରିବାକୁ ଫୋକସ କରିଛନ୍ତି । ନିଜର ଶାନ୍ତ ରଣନୀତି ପାଇଁ ଜଣାଶୁଣା ରାହୁଲ ଦ୍ରାବିଡ କୋଚ ଭାବରେ ନିଜର ଭୂମିକା ନେଇ ଗଣମାଧ୍ୟମରେ ବିସ୍ତାର ଭାବେ ଆଲୋଚନା କରିଛନ୍ତି ।
ରାହୁଲ ଦ୍ରାବିଡ ଗଣମାଧ୍ୟମକୁ କହିଛନ୍ତି ଯେ, ସତ କହିବାକୁ ଗଲେ ଥରେ ଖେଳ ଆରମ୍ଭ ହେବା ପରେ ଏହା ଅଧିନାୟକଙ୍କ ଦଳ । ଫିଲ୍ଡରେ ଦଳ କିଭଳି ପ୍ରଦର୍ଶନ କରିବ ତାହା ଅଧିନାୟକଙ୍କ ଉପରେ ନ୍ୟସ୍ତ । ପ୍ରଶିକ୍ଷକଙ୍କ ଭୂମିକା ମୁଖ୍ୟତଃ ଖେଳ ପୂର୍ବରୁ ପ୍ରସ୍ତୁତି, ଦଳ ଗଠନ କରିବା ଏବଂ ଖେଳାଳିଙ୍କ ମଧ୍ୟରେ ଭଲ ମାନସିକତା ବଜାୟ ରଖିବା । ଗୋଟିଏ ରନ ବା ଗୋଟିଏ ଓ୍ବିକେଟ ପାଇଁ ଟୁର୍ଣ୍ଣାମେଣ୍ଟ ଖେଳୁ ନାହୁଁ ବରଂ ଦଳ କେମିତି ବିଜୟ ହେବ ତାହା ଉପରେ ଫୋକସ କରାଯାଏ । ଫିଲ୍ଡକୁ ଓହ୍ଳାଇବା ପରେ ଆମେ କେବଳ ଖେଳାଳିଙ୍କୁ ସମର୍ଥନ କରିପାରିବୁ । ପଡିଆରେ ଖେଳାଳିଙ୍କ ପ୍ରଦର୍ଶନ ଭଲ ରହିବ ବୋଲି ଆମେ ଆଶା କରୁ ।
ସେହିପରି ବିଶ୍ବକପରେ ସବୁଠାରୁ ସୁରକ୍ଷିତ ସ୍କୋର କେତେ ବୋଲି ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା । ଏହାର ଉତ୍ତରରେ ସେ କହିଥିଲେ ଯେ, ବିପକ୍ଷ ଦଳ ଠାରୁ ମାତ୍ର ଏକ ରନ ହିଁ ଅଧିକ ସବୁଠାରୁ ସୁରକ୍ଷିତ ସ୍କୋର । ଏହି ସ୍କୋରଟି ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ । ପ୍ରତ୍ୟେକ ଗ୍ରାଉଣ୍ଡରେ ଏକ ଭିନ୍ନ ପିଚ୍ ଏବଂ ଭିନ୍ନ ସ୍ଥିତି ରହିଛି । ଏଭଳି ପରିସ୍ଥିତିରେ କୌଣସି ପିଚରେ ସୁରକ୍ଷିତ ସ୍କୋରର ପୂର୍ବାନୁମାନ କରିବା ଠିକ୍ ହେବ ନାହିଁ ।
ଏହାମଧ୍ୟ ପଢନ୍ତୁ: Asian Games 2023: ଏସିଆ ଗେମ୍ସରେ ଭାରତର ପଦକ ସଂଖ୍ୟା 100 ଛୁଇଁଲା, ମହିଳା କବାଡିରେ ସ୍ବର୍ଣ୍ଣ
ସେ ଆହୁରିମଧ୍ୟ କହିଥିଲେ ଯେ, ଭାରତୀୟ ଦଳକୁ ବିଭିନ୍ନ ସ୍ଥାନ ଏବଂ ପିଚରେ ମ୍ୟାଚ୍ ଖେଳିବାକୁ ପଡିବ । ପ୍ରତ୍ୟେକ ସ୍ଥାନ ଅଲଗା ହୋଇପାରେ ଆମକୁ କେବଳ ଏହାକୁ ଅନୁଧ୍ୟାନ କରି ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ବିଶ୍ୱକପ୍ ସମୟରେ ଆମକୁ ପ୍ରତି ପିଚରେ ଖାପଖୁଆଇ ଖେଳିବାକୁ ହେବ ।
ବିଶ୍ବକପର ଉଦଘାଟନୀ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ରଚିନ ରବୀନ୍ଦ୍ରଙ୍କ ପ୍ରଦର୍ଶନ ଉପରେ ରାହୁଲଙ୍କୁ ପ୍ରଶ୍ନ କରାଯାଇଥିଲା । ସେ ଉତ୍ତରରେ କହିଥିଲେ ଯେ, ଖେଳ ଆରମ୍ଭରୁ ନ୍ୟୁଜିଲାଣ୍ଡର ପ୍ରଦର୍ଶନ ଭଲ ରହିଥିଲା । ଉଭୟ ରଚିନ ରବୀନ୍ଦ୍ର ଓ ଡେଭନ କନୱେଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ଯଦି ଖେଳ ଏମିତି ଜାରି ରୁହେ ତେବେ ବିଶ୍ବକପ ପ୍ରତି କ୍ରୀଡାପ୍ରେମୀଙ୍କ ଉତ୍ସାହ ଆହୁରି ବଢିବ ।