ଧର୍ମଶାଳା: ଇନ୍-ଫର୍ମ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ବକପ୍ ୨୦୨୩ରେ କ୍ରମାଗତ ୨ଟି ବଡ଼ ମ୍ୟାଚ୍ ଜିତି ବିଜୟଧାରା ଜାରି ରଖିଥିଲା । ହେଲେ ମଙ୍ଗଳବାର ଧର୍ମଶାଳାରେ ଦଳର ବିଜୟ ରଥକୁ ଅଟକାଇ ବିଶ୍ବକପ୍ରେ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଥିଲା ନେଦରଲ୍ୟାଣ୍ଡ । ପ୍ରଥମେ ବ୍ୟାଟିଂ କରି ଡଚ୍ ଦଳ ୨୪୫ ରନ କରିଥିବାବେଳେ ଦକ୍ଷିଣ ଆଫ୍ରିକାକୁ କେବଳ ୨୦୭ ରନରେ ଅଟକାଇ ଦେଇଥିଲା । ତେବେ ଏହି ବିପର୍ଯ୍ୟୟ ପାଇଁ ଦକ୍ଷିଣ ଆପ୍ରିକା ପ୍ରଶିକ୍ଷକ ରବ୍ ୱାଲ୍ଟର ଆଫ୍ରିକୀୟ ଦଳର ଡେଥ୍ ଓଭର ବୋଲିଂ ଓ ଶୀର୍ଷକ୍ରମ ବ୍ୟାଟିଂକୁ ଦାୟୀ କରିଛନ୍ତି ।
ବର୍ଷା ପ୍ରଭାବରେ ୪୩ ଓଭର ଲେଖାଏଁ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା ନେଦରଲ୍ୟାଣ୍ଡ କେବଳ ୧୪୦ ରନରେ ୭ ୱିକେଟ୍ ହରାଇ ସାରିଥିଲା । ହେଲେ ଦଳକୁ କଠିନ ସ୍ଥିତିରୁ ବାହାର କରି ବିସ୍ଫୋରକ ପାଳି ଖେଳିଥିଲେ ଦଳର ଅଧିନାୟକ ସ୍କଟ୍ ଏଡୱାର୍ଡ୍ସ । ସେ ୬୯ ବଲରୁ ଅପରାଜିତ ୭୮ ରନର ବିସ୍ଫୋରକ ପାଳି ଖେଳି ଦଳକୁ ୨୪୫ ରନର ଲଢ଼ୁଆ ସ୍କୋରରେ ପହଞ୍ଚାଇଥିଲେ । ଜବାବରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ଖେଳୁଥିବା ଦକ୍ଷିଣ ଆଫ୍ରିକା ଡଚ୍ ବୋଲିଂ ବାହିନୀ ଆଗରେ ସଙ୍ଘର୍ଷ କରିଥିଲା । ଫଳରେ ୪୨.୫ ଓଭରରେ କେବଳ ୨୦୭ ରନରେ ହିଁ ସମସ୍ତ ୱିକେଟ ହରାଇଥିଲା ଦକ୍ଷିଣ ଆଫ୍ରିକା । ଏହି ବିଜୟ ନେଦରଲ୍ୟାଣ୍ଡ ପାଇଁ ବିଶ୍ବକପ୍ ଇତିହାସରେ ତୃତୀୟ ବିଜୟ ହୋଇଥିବାବେଳେ ଏକ ଟେଷ୍ଟ୍ ମାନ୍ୟତାପ୍ରାପ୍ତ ଦଳ ବିରୋଧରେ ଡଚ୍ ମେନ୍ଙ୍କର ଏହା ପ୍ରଥମ ବିଜୟ ।
ତେବେ ଇନ୍-ଫର୍ମ ଦକ୍ଷିଣ ଆଫ୍ରିକାର ଏଭଳି ବିପର୍ଯ୍ୟୟ ନେଇ ଦଳର ମୁଖ୍ୟ ପ୍ରଶିକ୍ଷକ ରବ୍ ୱାଲ୍ଟର କହିଛନ୍ତି, "ପ୍ରଥମ ୧୪୦ ରନରେ ୭ ୱିକେଟ୍ ସହ ଖେଳ ଆମ ନିୟନ୍ତ୍ରଣରେ ରହିଥିଲା । ତେଣୁ ଡେଥ୍ ଓଭରରେ ବିପକ୍ଷ ଦଳକୁ ଅଟକାଇବାରେ ସକ୍ଷମ ନହେବା ନୈରାଶ୍ୟଜନକ । ନିଶ୍ଚିତ ଭାବରେ ଏହି ସମୟରେ ହିଁ ଖେଳ ଆମ ହାତରୁ ଚାଲିଗଲା । କିନ୍ତୁ ୨୪୫ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ ସକ୍ଷମ ଥିଲୁ । ହେଲେ ଆମକୁ ସେହିଭଳି ଭଲ ଆରମ୍ଭ ମିଳିନଥିଲା । ଯାହା ଫଳରେ ସେମାନେ ଆମକୁ ପଛରେ ପକାଇ ଦେଇଥିଲେ । ଆମେ ନିଶ୍ଚିତ ଭାବରେ ଆବଶ୍ୟକ ଠାରୁ ଅଧିକ ଅତିରିକ୍ତ ରନ୍ ବ୍ୟୟ କରିଦେଇଥିଲୁ । ଚାରି ଦିନ ପୂର୍ବେ ଆମେ ଚମତ୍କାର ପ୍ରଦର୍ଶନ କରିଥିଲୁ । ହେଲେ ଆଜି ଡେଥ୍ ଓଭରରେ ଓ ବ୍ୟାଟିଂ ଆରମ୍ଭରେ ମଧ୍ୟ ଆମ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।" ପ୍ରକାଶ ଥାଉ, ପ୍ରଥମେ ଶ୍ରୀଲଙ୍କା ବିପକ୍ଷରେ ୧୦୨ ରନରେ ଏକ ବୃହତ ବିଜୟ ପରେ ୫ ଥରର ଚମ୍ପିଆନ୍ ଅଷ୍ଟ୍ରେଲିଆକୁ ୧୩୪ ରନର ବଡ଼ ବ୍ୟବଧାନରେ ହରାଇଥିଲା ଦକ୍ଷିଣ ଆଫ୍ରିକା । ଏଭଳି ଫର୍ମରେ ଥାଇ ମଧ୍ୟ ନେଦରଲ୍ୟାଣ୍ଡ ବିପକ୍ଷ ବିପର୍ଯ୍ୟୟ ପରେ କୌଣସି ଦଳକୁ ହାଲୁକା ଭାବେ ନେବା ଉଚିତ ନୁହେଁ ବୋଲି ସ୍ପଷ୍ଟ ହୋଇଥିବା ୱାଲ୍ଟର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ