ଅହମ୍ମଦାବାଦ: କ୍ରିକେଟ ମହାକୁମ୍ଭ ବିଶ୍ବକପ 2023 12ତମ ଲିଗ୍ ମ୍ୟାଚରେ ଭାରତ ପାକିସ୍ତାନକୁ 7 ୱିକେଟରେ ପରାସ୍ତ କରିଥିଲା । ଟିମ ଇଣ୍ଡିଆର ଏହା ତୃତୀୟ ଲିଗ ମ୍ୟାଚ ଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଚାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ପାକିସ୍ତାନ ବିପକ୍ଷରେ ଟିମ ଇଣ୍ଡିଆର ୱିକେଟକିପର କେଏଲ ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡିଂ ପାଇଁ ଦଳ ପକ୍ଷରୁ ସ୍ବର୍ଣ୍ଣ ପଦକ ମିଳିଛି । ପୁରା ଟିମ କରତାଳି ଦେଇ ରାହୁଲଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଏହା ବି ପଢନ୍ତୁ...world cup 2023: ପୁନେରେ ଟିମ୍ ଇଣ୍ଡିଆ, 19ରେ ବାଂଲାଦେଶ ବିପକ୍ଷରେ ମୁକାବିଲା
ପାକିସ୍ତାନ ବିପକ୍ଷ ମ୍ୟାଚ୍ ପରେ ଡ୍ରେସିଂ ରୁମରେ ଟିମ୍ ଇଣ୍ଡିଆ ଏକାଠୀ ହୋଇଥିଲେ । ଫିଲ୍ଡିଂ କୋଚ ଟି. ଦିଲୀପ ପ୍ରଥମେ ଭାରତୀୟ ବୋଲିଂ ଆଟାକକୁ ପ୍ରଶଂସା କରିଥିଲେ । ଏହା ପରେ ଶ୍ରେଷ୍ଠ ଫିଲ୍ଡିଂ ପାଇଁ କେଏଲ ରାହୁଲଙ୍କୁ ପ୍ରଶଂସା କରିବା ସହ ଗୋଲ୍ଡ ମେଡାଲ୍ ଦେଇଥିଲେ । ରାହୁଲଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଶ୍ରେଷ୍ଠ ଫିଲ୍ଡର ପୁରସ୍କାର ପ୍ରଦାନ କରାଯାଇଛି । ସାର୍ଦ୍ଦୁଳ ଠାକୁର ରାହୁଲଙ୍କୁ ମେଡାଲ ପ୍ରଦାନ କରିଥିଲେ । ପାକିସ୍ତାନ ବିପକ୍ଷରେ ହାଇଭୋଲ୍ଟେଜ୍ ମ୍ୟାଚରେ ରାହୁଲ ଷ୍ଟମ୍ପ୍ ପଛରେ ଚମତ୍କାର ପ୍ରଦର୍ଶନ କରି ଇମାମ ଉଲ ହକଙ୍କ କ୍ୟାଚ୍ ଧରିଥିଲେ । ଭାରତୀୟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଟି. ଦିଲୀପ ରବୀନ୍ଦ୍ର ଜାଡେଜା, କୁଳଦୀପ ଯାଦବ, ମହମ୍ମଦ ସିରାଜ ଓ ଯଶପ୍ରୀତ ବୁମରାଙ୍କୁ ପ୍ରଶଂସା କରିଥିଲେ ।
ପ୍ରକାଶ ଥାଉ କି, ଅକ୍ଟୋବର 14 ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏଥିରେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପାକିସ୍ତାନ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ମାଟି କାମୁଡ଼ିଥିଲା ବାବରବାହିନୀ । 42.5 ଓଭର ଖେଳି ପାକିସ୍ତାନ 191 ରନ୍ରେ ଅଲଆଉଟ୍ ହୋଇଥିଲା । 192 ରନ୍ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ଭାରତ 30 ଓଭରରେ ଲକ୍ଷ୍ୟ ହାସଲ କରି ନେଇଥିଲା । 7 ୱିକେଟ୍ରେ ବାଜି ମାରି ନେଇଥିଲା ଟିମ୍ ଇଣ୍ଡିଆ । ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ଅର୍ଦ୍ଧଶତକ ହାସଲ କରିଥିଲେ । ଯଶପ୍ରୀତ ବୁମରା ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ଆସନ୍ତା 19 ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳିବ ଟିମ୍ ଇଣ୍ଡିଆ ।