ଲକ୍ଷ୍ନୌ: ଭାରତର ସ୍କୋର୍ ଥିଲା 229 । 230 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଇଂଲଣ୍ଡ । ଛୋଟ ବିଜୟ ଲକ୍ଷ୍ୟ ଥିବାରୁ ଟିମ୍ ଇଣ୍ଡିଆର ବିଜୟ ଆଶା ଆଶଙ୍କାରେ ରହିଥିଲା । ସବୁ ବୋଲରଙ୍କ ଉପରେ ନିର୍ଭରଶୀଳ ଥିଲା । ଆଉ ବୋଲର ହିଁ କମାଲ କଲେ । 129ରନରେ ଇଂଲଣ୍ଡର ବ୍ୟାଟିଂ ଅର୍ଡରକୁ ବିଧ୍ବଂସ କରି ଦେଲେ । ଶେଷରେ 100ରନ ବିଜୟ ହାସଲ କରି ବିଶ୍ବକପ ଟେବୁଲ ଟପର ହୋଇଛି ରୋହିତ ସେନା । ପ୍ରଥମେ ବ୍ୟାଟିଂ କରି ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଅଧିନାୟକ ରୋହିତ ଶର୍ମାଙ୍କ 87ରନ ପାଳି ଓ ସୂର୍ଯ୍ୟକୁମାରଙ୍କ 49 ରନ ଓ ରାହୁଲଙ୍କ 39 ରନ ବଳରେ ଭାରତ ଇଂଲଣ୍ଡକୁ 230ରନର ଟାର୍ଗେଟ ଦେଇଥିଲା । ଇଂଲଣ୍ଡ ବିପକ୍ଷ ଏହି ବିଜୟର ଶ୍ରେୟ ଅଧିନାୟକ ରୋହିତ ଶର୍ମା ଦଳର ଅଭିଜ୍ଞ ଖେଳାଳିଙ୍କୁ ଦେଇଛନ୍ତି । ବିଶେଷ କରି ବୋଲରଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି ରୋହିତ ।
ଇଂଲଣ୍ଡ ବିପକ୍ଷରେ 100ରନରେ ଜିତିବା ପରେ ପ୍ରତିକ୍ରିୟା ଦେଇ ରୋହିତ କହିଛନ୍ତି, ''ଆମ ବୋଲର ମାନେ ମ୍ୟାଚ୍ ଛଡାଇ ଆଣିଥିଲେ । ଏତେ କମ୍ ରନର ଲକ୍ଷ୍ୟକୁ ଅଟକାଇବା ସହଜ କଥା ନୁହେଁ । ଆରମ୍ଭରୁ ପେସ୍ ବୋଲରମାନେ ଘାତକ ବୋଲିଂ କରି ବିପର୍ଯ୍ୟୟ ଘଟାଇଥିଲେ । ସ୍ପିନରମାନେ ମଧ୍ୟ ପିଚରୁ ଫାଇଦା ଉଠାଇବାରେ ସଫଳ ହୋଇଥିଲେ । ଆମ ବୋଲିଂ ବିଭାଗ ବେଶ ସନ୍ତୁଳିତ । ସବୁ ବୋଲରଙ୍କ କୌଶଳ ବିଭିନ୍ନତା ବିଜୟରେ ସହାୟକ ହୋଇଛି । ପ୍ରଥମ 4ଟି ମ୍ୟାଚରେ ଆମେ ବିଜୟ ଲକ୍ଷ୍ୟ ପିଛା କରି ଜିତିଥିଲୁ । ଆଜି ପ୍ରଥମେ ବ୍ୟାଟିଂ କରିବା ଆମ ପାଇଁ ପରୀକ୍ଷା ସଦୃଶ ଥିଲା । ପିଚ୍ ବୋଲରଙ୍କ ପାଇଁ ଅନୁକୂଳ ଥିଲା ।
ସେ ଆହୁରି କହିଛନ୍ତି, ଦଳର ଏହି ବିଜୟରେ ଅଭିଜ୍ଞ ଅନୁଭବୀ ଖେଳାଳିଙ୍କର ମଧ୍ୟ ଭୂମିକା ରହିଛି । ଆରମ୍ଭରୁ 3 ୱିକେଟ ହରାଇବା ପରେ ବଡ଼ ସ୍କୋର୍ କରିବାରେ ବିଫଳ ହୋଇଥିଲୁ । ବଡ ଭାଗିଦାରୀ ଗଢ଼ିବା ମଧ୍ୟ ସମ୍ଭବ ହୋଇନଥିଲା । ମୋଟ ଉପରେ କହିବାକୁ ଗଲେ ଆଉ 30 ରନର ଆବଶ୍ୟକତା ଥିଲା । ମାତ୍ର ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବିଜୟରେ ସହାୟକ ହୋଇଛି ।''
ଏହା ବି ପଢନ୍ତୁ...Cricket World Cup 2023: ଇଂଲଣ୍ଡକୁ ଧୂଳି ଚଟାଇଲେ ଭାରତୀୟ ବୋଲର, ୧୦୦ ରନରେ ଜିତିଲା ଭାରତ
ଚଳିତ ବିଶ୍ବକପରେ ଭାରତକୁ ଏଯାବତ କେହି ଅଟକାଇ ପାରି ନାହାନ୍ତି । 6ଟି ଯାକ ମ୍ୟାଚ ଖେଳି ସବୁଥିଲେ ବାଜିମାରିଛି ରୋହିତ ସେନା । ଭାରତ ଆଉ 3ଟି ମ୍ୟାଚ ବାକି ରହିଛି । ଆସନ୍ତା ନଭେମ୍ବର 2 ତାରିଖରେ ଶ୍ରୀଲଙ୍କା, 5 ତାରିଖରେ ଦକ୍ଷିଣ ଆଫ୍ରିକା ଓ 12 ତାରିଖରେ ନେଦରଲାଣ୍ଡସ ବିପକ୍ଷରେ ଖେଳିବ ଭାରତ ।