ନୂଆଦିଲ୍ଲୀ: ବଦଳି ପାରନ୍ତି ଟିମ ଇଣ୍ଡିଆର ମୁଖ୍ୟ କୋଚ । ଏନେଇ ବିସିସିଆଇ ଆବେଦନ ମଧ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ ପୁଣି କୋଚ ପଦରେ ପୁନର୍ବାର ରହିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ମାତ୍ର କ୍ୟାପଟେନ ବିରାଟ କୋହଲି ଏହି ମାମଲାରେ ନିଜ ପସନ୍ଦର କୋଚ ନେଇ କୌଣସି ମତ ରଖିପାରିବେ ନାହିଁ । ଏପରିକି କୌଣସି ପ୍ରକାର ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ଜଣାପଡିଛି ।
ପୂର୍ବରୁ ଟିମର କୋଚ ଅନିଲ କୁମ୍ବଲେ ଥିବାବେଳେ କୋହଲି ନୂଆ କୋଚ ଚୟନ ନେଇ ମତ ରଖିଥିଲେ । ଏମିତିକି କିଛି ଖେଳାଳି କୋଚଙ୍କୁ ନେଇ ଖୁସି ନଥିବା କହିଥିଲେ । ତେବେ ଚଳିତ ଥର କୋହଲିଙ୍କୁ ସମାନ ସୁଯୋଗ ମିଳିବନାହିଁ । କାରଣ ବର୍ତ୍ତମାନର କୋଚ ରବି ଶାସ୍ତ୍ରୀ ଓ କ୍ୟାପଟେନ କୋହଲି ଦଳରେ ଏକପାଖିଆ ନିଷ୍ପତ୍ତି ନେଉଥିବାର ଅଭିଯୋଗ ସାମ୍ନାକୁ ଆସିଛି । ଋଷଭ ପନ୍ତଙ୍କୁ ବିଶ୍ବକପ ସେମିଫାଇନାଲ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ 4ନଂ ସ୍ଥାନରେ ବ୍ୟାଟିଂ ପଠାଇବା ଦଳ ପାଇଁ ମହଙ୍ଗା ପଡିଥିଲା । ମାତ୍ର 5 ରନ ମଧ୍ୟରେ ଦଳ 3ଟି ୱିକେଟ ହରାଇ ସଂକଟରେ ଥିବାବେଳେ 21 ବର୍ଷିୟ ଅନଭିଜ୍ଞ ପନ୍ତ ବ୍ୟାଟିଂ ପାଇଁ ଆସିଥିଲେ । ପନ୍ତ ଖରାପ ସଟ ଖେଳି ଆଉଟ ହେବା ପରେ ନିଜ ସିଟରୁ ଉଠି ରାଗରେ କୋହଲି ଶାସ୍ତ୍ରୀଙ୍କୁ କିଛି କଡା କଥା କହୁଥିବାରୁ ଦେଖିବାକୁ ମିଳିଥିଲା ।
ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତରୁ ଫେରିଲେ ନୂଆ କୋଚ ଚୟନ ପ୍ରକ୍ରିୟା ଉପରୁ ପରଦା ଉଠିବ । ପୂର୍ବରୁ ଭାରତୀୟ ଦଳର କ୍ରିକେଟ ଆଡଭାଇଜରି କମିଟି ସପୋର୍ଟ ଷ୍ଟାଫଙ୍କୁ ଚୟନ କରୁଥିଲା । ତେବେ ଚଳିତ ଥର ଯଦି ମୁଖ୍ୟ କୋଚଙ୍କ ଚୟନ ପ୍ରଥମେ ଶେଷ ହୋଇଥାଏ, ସପୋର୍ଟ ଷ୍ଟାଫଙ୍କ ଚୟନ ପ୍ରକ୍ରିୟାରେ ନୂଆ କୋଚ ସାମିଲ ହେବେ ।