ଲଣ୍ଡନ: ବିଶ୍ବକପ ଲଢେଇରେ ଘରୋଇ ଇଂଲଣ୍ଡକୁ 20 ରନରେ ହରାଇଛି ଶ୍ରୀଲଙ୍କା । ନିଜ ଶେଷ ବିଶ୍ବକପ ଖେଳୁଥିବା ଶ୍ରୀଲଙ୍କାର ଭେଟେରାନ ପେସର ମାଲଙ୍କା ବିଶ୍ବକପ କ୍ୟାରିୟରରେ ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । 10 ଓଭରରେ 43 ରନ ବ୍ୟୟ କରି ଗୋଟିଏ ମେଡେନ ସହ 4ଟି ଇଂଲିସ ବ୍ୟାଟ୍ସମ୍ୟାନଙ୍କ ୱିକେଟ ଅକ୍ତିଆର କରିଥିଲେ । ଫଳରେ ଚଳିତ ବିଶ୍ବକପର ବଡ ଦାବିଦାର ଦଳ କୁହାଯାଉଥିବା ଇଂଲଣ୍ଡକୁ ଲଙ୍କା ବାହିନୀ ମାତ ଦେଇଛି ।
ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର 3 ରନରେ 2 ଓପନରଙ୍କୁ ହରାଇ ସଂକଟରେ ପଡିଥିଲା ଶ୍ରୀଲଙ୍କା । ଦଳର 7 ଜଣ ବ୍ୟାଟ୍ସମ୍ୟାନ 2ଅଙ୍କ ଛୁଇଁ ପାରିନଥିଲେ । କୁସଲ ମେଣ୍ଡିସ 46, ଓ ଅଭିସ୍କା ଫର୍ଣ୍ଣାଣ୍ଡୋ 39 ବଲରେ 49 ରନର ପାଳି ଖେଳିଥିଲେ ।
ତେବେ ପୂର୍ବତନ କ୍ୟାପଟେନ ଆଞ୍ଜେଲୋ ମାଥ୍ୟୁସ ଶେଷ ଯାଏଁ ଅପରାଜିତ ରହି 115 ବଲରେ 85 ରନର ଧୈର୍ଯ୍ୟପୂର୍ଣ୍ଣ ଇଂନିସ ଖେଳିଥିଲେ । ଫଳରେ ଶ୍ରୀଲଙ୍କାର ସ୍କୋର 232 ରନରେ ପହଞ୍ଚିଥିଲା । ଶ୍ରୀଲଙ୍କା ଇଂନିସରେ ଜୋଫ୍ରା ଆର୍ଚର 3 ଟି, ମାର୍କ ଉଡ 3 ଟି, ଆଦିଲ ରସିଦ 2ଟି, କ୍ରିସ ୱକ୍ସ ଗୋଟିଏ ୱିକେଟ ନେଇଥିଲେ ।
ଇଂଲଣ୍ଡର ଶକ୍ତିଶାଳୀ ବ୍ୟାଟିଂ ଲାଇନ ଅଫ ସାମ୍ନାରେ 233 ରନର ଟାର୍ଗେଟ ଛୋଟ ଲାଗୁଥିଲା । ତେବେ ଶ୍ରୀଲଙ୍କା ବୋଲରଙ୍କ ମାପଚୁପ ବୋଲିଂ ଇଂଲଣ୍ଡର ନିୟମିତ ବ୍ୟାବଧାନରେ ୱିକେଟ ପତନର କାରଣ ହୋଇଥିଲା । ବେୟାରଷ୍ଟୋ, ବଟଲର, ମୋର୍ଗାନ ଫେଲ ମାରିଥିଲେ । ଇଂଲଣ୍ଡ 212 ରନରେ ଅଲଆଉଟ ହୋଇଯାଇଥିଲା । ଇଂଲଣ୍ଡ ପକ୍ଷରୁ ସର୍ବାଧିକ 82 ରନ କରିଥିଲେ ବେନ ଷ୍ଟୋକ୍ସ । ଜୋ ରୁଟ 57 ରନର ଅର୍ଧଶତକୀୟ ପାଳି ଖେଳିଥିଲେ । ଇଂଲଣ୍ଡର 5ଜଣ ବ୍ୟାଟ୍ସମ୍ୟାନ ମଧ୍ୟ 2ଅଙ୍କ ଛୁଇଁ ପାରିନଥିଲେ ।
ଧନଞ୍ଜୟ ଦି ସିଲଭା 3ଟି, ଇସୁରୁ ଉଦ୍ଦାନା 2ଟି, ନୂଆନ ପ୍ରଦିପ ଗୋଟିଏ ୱିକେଟ ନେଇଥିଲେ । ତେବେ 4ଟି ୱିକେଟ ଅକ୍ତିଆର କରିଥିବା ଲସିଥ ମଲିଙ୍ଗା ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ