ହାଇଦ୍ରାବାଦ: ସେ ଥିଲେ ଭାରତୀୟ କ୍ରିକେଟ ଇତିହାସର ସଫଳତମ ଅଧିନାୟକ । ବିଶ୍ବର ସର୍ବଶ୍ରେଷ୍ଠ ଫିନିସର । ତିନୋଟି ଫର୍ମାଟର ସମସ୍ତ ଆଇସିସି ଟ୍ରଫି ଉଠାଇଥିବା ଏକମାତ୍ର ଅଧିନାୟକ । କିନ୍ତୁ ଅଗଷ୍ଟ 15 ତାରିଖ ସଂଧ୍ୟା 7.29 ମିନିଟରେ ଶେଷ ହୋଇଯାଇଛି ଏହି ଯୁଗ । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ମହେନ୍ଦ୍ର ସିଂ ଧୋନି । ତେବେ ଆପଣ ଜାଣନ୍ତି କି, ସଂଧ୍ୟା 7.29 ମିନିଟକୁ କାହିଁକି ଧୋନି ଅବସର ସମୟ ଭାବେ ଘୋଷଣା କଲେ ।
ଶନିବାର ସାରା ଦେଶ 74ତମ ସ୍ବାଧିନତା ଦିବସ ପାଳନ କରୁଥିବା ବେଳେ ହଠାତ୍ ଖବର ଆସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ମହେନ୍ଦ୍ର ସିଂ ଧୋନି । ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ କିଛି ପୂରୁଣା ଦିନର ବାଦ-ବିବାଦ ଫଟୋକୁ ସମ୍ବଳିତ କରି ଏକ ଭିଡିଓ ପୋଷ୍ଟ କରିଛନ୍ତି ଧୋନି । ଭିଡିଓର ମଧ୍ୟ ଏକ ଗୀତ ଶୁଣିବାକୁ ମିଳିଛି । ଯାହାକି 80 ଦଶକର ସୁପର ହିଟ୍ ଗୀତ‘‘ ମେ ପଲ୍ ଦୋ ପଲ୍ କା ସାୟର ହୁଁ ’’ । ତେବେ ଏହି ଭିଡିଓଟି ପୋଷ୍ଟ କରିବା କ୍ୟାପସନରେ ଧୋନି ଲେଖିଛନ୍ତି, ‘‘ମୋ କ୍ୟାରିୟର ବ୍ୟାପି ଆପଣମାନଙ୍କ ଭଲ ପାଇବା ଓ ସମର୍ଥନ ପାଇଁ ଧନ୍ୟବାଦ । 1929 ଘଣ୍ଟା ଅର୍ଥାତ ସଂଧ୍ୟା 7.29ରୁ ମୋତେ ସେବା ନିବୃତ ବା ଅବସର ବୋଲି ଭାବି ନିଅନ୍ତୁ ।’’
ତେବେ ଏହି 7.29 ସମୟ କାହିଁକି ? କଣ ଏହି 7.29 ମିନିଟ ଧୋନିଙ୍କ ଜୀବନରେ କୌଣସି ଖାସ୍ ମୁହୁର୍ତ୍ତ ? ଏମିତି କିଛି ପ୍ରଶ୍ନ ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି । ଆଉ ଯାହାର ଉତ୍ତର ଆମେ ଆପଣକୁ ଖୋଜି ଦେଉଛୁ ।
2019 ଜୁଲାଇ 10 ତାରିଖ ସଂଧ୍ୟାରେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିସାରିଥିଲେ ଧୋନି । ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ ସେମିଫାଇନାଲ ମ୍ୟାଚରେ ଧୋନିଙ୍କ ରନ ଆଉଟ ପରେ ଭାରତୀୟ ପାଳି ଭୂଷୁଡି ପଡିଥିଲା । ଆଉ ଶେଷ ଓଭରରେ ଶେଷ ୱିକେଟ ଭାବେ ୟୁଜଭେନ୍ଦ୍ର ଚହଲ ଆଉଟ ହୋଇ ପାଭେଲିଅନ ଫେରିବା ପରେ ମ୍ୟାଚ ଶେଷ ହୋଇଥିଲା । ଭାରତ ସେମିଫାଇନାଲରୁ ପରାସ୍ତ ହୋଇଥିଲା ଓ ଭାରତୀୟ ସମୟ ସଂଧ୍ୟା 7.29 ମିନିଟରେ ବିଦ୍ଧିବଦ୍ଧ ଭାବେ ନ୍ୟୁଜିଲାଣ୍ଡକୁ ଫାଇନାଲିଷ୍ଟ ଘୋଷଣା କରାଯାଇଥିଲା । ତେବେ ଏହି କ୍ଷଣର ପ୍ରମାଣ ପାଇଁ ଆମ ହାତରେ ଲାଗିଥିଲା ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର ଗ୍ରାଣ୍ଟ ଅଲିଓଟ୍ଙ୍କ ଟ୍ବିଟ । ଯାହାକୁ ସେ ଠିକ୍ 7.29ମିନିଟରେ କରିଥିଲେ ।
ତେବେ ଏହି 7.29 ମିନିଟକୁ ବୋଧହୁଏ ଜୀବନର ସବୁଠାରୁ ଖରାପ ମୁହୁର୍ତ୍ତ ମାନି ଅବସର ପାଇଁ ଚିନ୍ତା କରିଛନ୍ତି ଧୋନି । ତେଣୁ ଏହି ମହାନ କ୍ରିକେଟରଙ୍କ ନିଷ୍ପତି ସମ୍ମାନ ଜଣାଇବା ସହିତ ଏତିକି କହିବୁ ‘‘ଧନ୍ୟବାଦ ଧୋନି’’ ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ