ନୂଆଦିଲ୍ଲୀ: ଆଉ କିଛି ଦିନର ଅପେକ୍ଷା ମାତ୍ର, ତାପରେ ଆରମ୍ଭ ହେବ ଆଇପିଏଲ ମହାସମର । ସେଞ୍ଚୁରୀ, ଛକା ଆଉ ଚଉକା ସହ ହେବ ଅନେକ ରେକର୍ଡ ବର୍ଷା । ତେବେ ସମସ୍ତଙ୍କ ନଜର ଏବେ ରହିଛି କେଉଁ ଭାରତୀୟ ଖେଳାଳି କରିବ ପଥମ 200ଟି ଛକା । ଏହି ରେକର୍ଡ କରିବା ଧାଡିରେ ଅଛନ୍ତି ଏକାଧିକ ଖେଳାଳି ।
ଏହି ତାଲିକାର ଶୀର୍ଷରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗସର କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି । ଧୋନି ଗତ 11ଟି ସିଜନରେ 186ଟି ଛକା ମାରିଥିବାବେଳେ, ତାଙ୍କ ପଛକୁ 185ଟି ଛକା ମାରି ଅଛନ୍ତି ସୁରେଶ ରାଇନା । ଏହି ଦୌଡରେ ହିଟ ମ୍ୟାନ ରୋହିତ ବା କିପରି ପଛରେ ପଡନ୍ତେ । 184ଟି ଛକା ମାରି ତୃତୀୟ ସ୍ଥାନରେ ଅଛନ୍ତି ରୋହିତ ଶର୍ମା । 178ଟି ଛକା ସହ କୋହଲି ବି ଏହି ଦୌଡରେ ସାମିଲ ଅଛନ୍ତି । ତେବେ ପ୍ରଥମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଥିବାରୁ କୋହଲି, ଓ ଚେନ୍ନାଇର ଦୁଇ ଖେଳାଳି ଧୋନି ଓ ରାଇନା ଏହି ରେକର୍ଡ ହାସଲ କରିବାର ନିକଟତର ହୋଇପାରନ୍ତି ।
23 ମାର୍ଚ୍ଚରୁ ଆରମ୍ଭ ହେବାକୁ ଥିବା ଆଇପିଏଲର ଦ୍ୱାଦଶ ସଂସ୍କରଣରେ କିଏ କେତେ ରେକର୍ଡ କରୁଛି ଆଉ କିଏ କେଉଁ ରେକର୍ଡ ଭାଙ୍ଗୁଛି ତାହା ଦେଖିବାକୁ ବାକି ରହିଲା ।