ନୂଆଦିଲ୍ଲୀ: ରୋହିତ ଏବଂ ମୋ ଭିତରେ କୌଣସି ମତାନ୍ତର ନାହିଁ । ଏହା ଗୁଜବ । ଟିମରେ ବି କୌଣସି ମତଭେଦ ନାହିଁ । ଯଦି ମୁଁ ଜଣେ ବ୍ୟକ୍ତିଙ୍କୁ ବିରୋଧ କରିବି, ତାର ଝଲକ ମୋ ମୁହଁରେ ଦେଖାଯିବା କଥା । କିନ୍ତୁ ଏହା ମିଛ ଏବଂ ଭିତ୍ତିହୀନ । ଏଭଳି କିଛି ଢଙ୍ଗରେ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏହାକୁ ଖଣ୍ଡନ କରିଛନ୍ତି ।
ଏହି ସହିତ ପ୍ରେସ୍ କନଫରେନ୍ସରେ ଦଳର ଆଗାମୀ ପ୍ଲାନ ଏବଂ ସପୋର୍ଟ ଷ୍ଟାଫ୍ଙ୍କୁ ନେଇ ଅନେକ କିଛି ଉତ୍ତର ରଖିଛନ୍ତି କୋହଲି ।
କୋଚିଂ ଷ୍ଟାଫ୍ଙ୍କୁ ନେଇ କଣ କହିଲେ ବିରାଟ୍-
ଦଳର ସମସ୍ତ କୋଚିଂ ଷ୍ଟାଫ୍ ଆମକୁ ଅନେକ ସହଯୋଗ କରିଛନ୍ତି । ତେଣୁ ଆମେ ଚାହୁଁଛୁ କୋଚିଂ ଷ୍ଟାଫଙ୍କ କାର୍ଯ୍ୟକାଳ ଅବଧି ବୃଦ୍ଧି ହେଉ । ତେବେ ଏହା ସିଏସି (Cricket Advisory Committee) ଉପରେ ନିର୍ଭର କରେ । ଏ ନେଇ ମୁଁ ସହିତ ସିଏସି କୌଣସି ଯୋଗାଯୋଗ କରିନାହିଁ ।
ମିଡିଲ ଅର୍ଡର ମୁଣ୍ଡବିନ୍ଧା-
ମିଡିଲ ଅର୍ଡର ସମସ୍ୟା ନେଇ ମୁଁ କଣ କହିବି ଜାଣିପାରୁନି । ଏନେଇ ଅଧିକା ଭାବିବା ଠିକ୍ ନୁହେଁ । ତେବେ ଏହି ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା ଜାରି ରଖିଛୁ ।
ଫେରିବେ କି ରାହାଣେ-
ରାହାଣେଙ୍କ ବଦଳରେ ଆମେ ଦକ୍ଷିଣ ଆଫ୍ରିକା ଟେଷ୍ଟରେ ରୋହିତଙ୍କୁ ବାଛି ଥିଲୁ । କାରଣ ରୋହିତ କୌଣସି ବି ସମୟରେ ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି । ତେବେ ରାହାଣେ ଜଣେ ଦକ୍ଷ କ୍ରିକେଟର । ବିଶେଷ କରି ସ୍ଲିପ କ୍ୟାଚିଙ୍ଗ ଏବଂ ଦମଦାର ବ୍ୟାଟିଂରେ ଧୁରନ୍ଧର ସେ । ତେବେ ଦଳକୁ ରାହାଣେ ଫିରବେ ଏବଂ ବଳ ସ୍କୋର କରିବେ ବୋଲି ଆମେ ଆଶାବାଦୀ ।
ଫୋକସରେ ଆଗାମୀ ଟି-20 ଓ୍ବାର୍ଲ୍ଡକପ-
ଆଗାମୀ ବର୍ଷ ଖେଳାଯିବ ଟି-20 ବିଶ୍ବକପ । ଏହା ଦଳର ଫୋକସରେ । ତେବେ ଟେଷ୍ଟ ଚମ୍ପିଆନସିପକୁ ମଧ୍ୟ ଆମେ ନଜରରେ ରଖିଛୁ । ତିନି ଫର୍ମାଟରେ ଖେଳିବାକୁ ଆମେ ପ୍ରସ୍ତୁତ ।
ଟେଷ୍ଟ ଚମ୍ପିଆନସିପ୍ ନେଇ କଣ କହିଲେ ବିରାଟ-
ଟେଷ୍ଟ କ୍ରିକେଟର ଚିତ୍ର ବଦଳାଇ ଦେବ ଏହି ଚମ୍ପିଆନସିପ୍ । ଏହା ସମସ୍ତ ଖେଳାଳିଙ୍କ ପାଇଁ ଏକ ଚ୍ୟାଲେଞ୍ଜ । ତେବେ ଅଧିକ ଅଧିକ ଗେମ୍ ଖେଳିଲେ ଅଭିଜ୍ଞତା ବଢିବ ଏବଂ କ୍ରିକେଟର ଭଲ ପ୍ରଦର୍ଶନ କରିବେ ।