ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ପରବର୍ତ୍ତୀ ସଭାପତି ହୋଇଛନ୍ତି ସୌରଭ ଗାଙ୍ଗୁଲି । 65 ବର୍ଷ ପରେ ଭାରତୀୟ କ୍ରିକେଟ ଦଳର ଜଣେ ପୂର୍ବତନ କ୍ୟାପଟେନଙ୍କୁ ବିସିସିଆଇ ସଭାପତି ଦାୟିତ୍ବ ମିଳିଛି । ମୁମ୍ବାଇର ଏକ ଘରୋଇ ହୋଟଲରେ 5 ଘଣ୍ଟାର ବୈଠକ ପରେ 47 ବର୍ଷିୟ ଗାଙ୍ଗୁଲିଙ୍କ ନାମ ସାମ୍ନାକୁ ଆସିଥିଲା ।
ଏହି ବୈଠକରେ ବିସିସିଆଇର ପୂର୍ବତନ ସଭାପତି ଏନ ଶୀନିବାସନ ଓ କ୍ରିକେଟ ଆସୋସିଏସନର 100ରୁ ଅଧିକ ଅତିଥି ଯୋଗ ଦେଇଥିଲେ । ଗାଙ୍ଗୁଲିଙ୍କ ନାମ ପ୍ରଥମେ ପୂର୍ବତନ ବିସିସିଆଇ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସୁପାରିଶ କରିଥିଲେ । ଏହାପରେ ସମସ୍ତେ ଏହି ପ୍ରସ୍ତାବରେ ସମ୍ମତି ଜଣାଇଥିଲେ । ପରେ ଗାଙ୍ଗୁଲି ଏକମାତ୍ର ପ୍ରାର୍ଥୀ ଭାବେ ସଭାପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ଅକ୍ଟୋବର 23ରେ ପରବର୍ତ୍ତୀ ବୈଠକରେ ଅନୁଷ୍ଠାନିକ ଭାବେ ଏନେଇ ଘୋଷଣା ହେବ ।
ତେବେ ବୈଠକର ଗୋଟିଏ ଦିନ ପୂର୍ବରୁ ଶନିବାର, ଗାଙ୍ଗୁଲି ବିଜେପି ସଭାପତି ତଥା ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ । 2021 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଲଢିବାକୁ ସର୍ତ୍ତ ରଖି କେନ୍ଦ୍ରମନ୍ତ୍ରୀ ଶାହା, ଗାଙ୍ଗୁଲିଙ୍କୁ ବିସିସିଆଇ ସଭାପତି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହାକୁ ଗୃହମନ୍ତ୍ରୀ ଖଣ୍ଡନ କରିଛନ୍ତି। ଏନେଇ ସେ କହିଛନ୍ତି ଯେ, ବିସିସିଆଇ ସଭାପତି ନିର୍ବାଚନରେ ବିଜେପିର କୌଣସି ଭୂମିକା ନାହିଁ । ବିଶ୍ବର ସବୁଠୁ ଧନୀ କ୍ରିକେଟ ବୋର୍ଡର ସଭାପତି କିଏ ହେବ ତାହା ବିସିସିଆଇର ନିର୍ବାଚନ ପ୍ରକ୍ରିୟା ଦ୍ବାରା ସ୍ଥିର ହେବ । କ୍ରିକେଟ ଆସୋସିଏସନ ସହିତ ସେ ବହୁବର୍ଷ ଧରି ଜଡିତ ଅଛନ୍ତି । ସେଥିପାଇଁ ଗାଙ୍ଗୁଲି ତାଙ୍କୁ ଦେଖା କରିବାକୁ ଆସିଥାଇ ପାରନ୍ତି ।
ବିଜେପିରେ ମିଶିବା ଚର୍ଚ୍ଚା ନେଇ ମଧ୍ୟ ରଖିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । 'ବିଜେପି ଗୋଟେ ଭଲ ଦଳ, ଯଦି ସେ ଏପରି କରନ୍ତି, ତେବେ ଭଲକଥା। '