ହାଇଦ୍ରାବାଦ: ବିଶ୍ବ କ୍ରିକେଟର ଏକାଧିକ ଖେଳାଳି 300ଟି ଦିନିକିଆ ମ୍ୟାଚ ଖେଳିବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏମିତିକି କିଛି ଖେଳାଳି 400ରୁ ଅଧିକ ଦିନିକିଆ ମ୍ୟାଚ ମଧ୍ୟ ଖେଳିଛନ୍ତି । ତେବେ ଆପଣ କେବେ ଭାବିଛନ୍ତି କି, ଯେ ଦିନିକିଆ କ୍ରିକେଟ ଇତିହାସରେ କେଉଁ କ୍ରିକେଟର ସର୍ବାଧିକ ମ୍ୟାଚ ବିଜେତା ରହିଛନ୍ତି ?
ଆଜି 'ଶ୍ରେଷ୍ଠ 5' ରେ ନଜର ପକାନ୍ତୁ ଏମିତି କିଛି କ୍ରିକେଟରଙ୍କ ଉପରେ, ଯେଉଁମାନେ ନିଜ ସମୟରେ ବିଶ୍ବର ମହାନତମ କ୍ରିକେଟରଙ୍କ ମଧ୍ୟରେ ରହିଛନ୍ତି । ବିଶ୍ବ କ୍ରିକେଟରେ ନିଜର ସ୍ବତନ୍ତ୍ର ଛାପ ଛାଡିଛନ୍ତି ।
1. ରିକି ପଏଣ୍ଟିଂ

ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ରିକି ପଏଣ୍ଟିଂ । ତାଙ୍କ ନେତୃତ୍ବରେ ଦୁଇଥର ବିଶ୍ବକପ ବିଜେତା ରହିଛି ଅଷ୍ଟ୍ରେଲିଆ । ଉଭୟ ଦିନିକିଆ ଓ ଟେଷ୍ଟ କ୍ରିକେଟରେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ରନହାସଲକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି ସେ । ଉଭୟ ଫର୍ମାଟରେ 13,000ରୁ ଅଧିକ ରନ ପଏଣ୍ଟିଂଙ୍କ ନାମରେ ରହିଛି । ଏହି ମହାନ ଅଷ୍ଟ୍ରେଲିଆନ କ୍ରିକେଟର ରେକର୍ଡ 375ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ସହ ବର୍ଷ 1995ରୁ 2012 ପର୍ଯ୍ୟନ୍ତ ଆଇସିସି ବିଶ୍ବ ଏକାଦଶରେ ଖେଳିଛନ୍ତି । ଜଣେ କ୍ରିକେଟର ଭାବେ ରେକର୍ଡ 262ଟି ମ୍ୟାଚରେ ବିଜେତା ରହିଛନ୍ତି ରିକି ପଏଣ୍ଟିଂ । ଏହି ସଂଖ୍ୟା ଦିନିକିଆ କ୍ରିକେଟ ଇତିହାସରେ କୌଣସି ବି ବ୍ୟାଟ୍ସମ୍ୟାନଙ୍କ ତୁଳନାରେ ସର୍ବାଧିକ । 229ଟି ଦିନିକିଆରେ ଅଷ୍ଟ୍ରେଲିଆ ଟିମର କ୍ୟାପଟେନ ରହିଛନ୍ତି ସେ । ସେଥିମଧ୍ୟରୁ 164 ଟି ମ୍ୟାଚରେ ସେ ବିଜୟୀ ରହିଛନ୍ତି । କ୍ୟାପଟେନ ଭାବେ ପଏଣ୍ଟିଂଙ୍କର ବିଜୟର ପ୍ରତିଶତ ରହିଛି 71.62 ।
2. ସଚିନ ତେନ୍ଦୁଲକର

ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଓ ଶ୍ରେଷ୍ଠ ରେକର୍ଡର ସଂପର୍କ ବେଶ ଘନିଷ୍ଠ । ଶ୍ରେଷ୍ଠ ତାଲିକାରେ ସଚିନ ନାମ ସ୍ଥାନ ପାଇବା ଅସ୍ବାଭାବିକ ନୁହେଁ । ସଚିନ କ୍ରିକେଟ ଖେଳୁଥିବା ସମୟରେ ବିଶ୍ବର ଅନେକ ମହାନତମ ବୋଲରଙ୍କୁ ସଫଳ ମୁକାବିଲା କରିଛନ୍ତି । ସେଥିପାଇଁ ଅନେକ ସମୟରେ ବିଶ୍ବକ୍ରିକେଟର ସର୍ବକାଳୀନ ଶ୍ରେଷ୍ଠ ବୋଲର ଓ ବ୍ୟାଟ୍ସମ୍ୟାନଙ୍କ ମୁହଁରୁ ସଚିନଙ୍କ ଶ୍ରେଷ୍ଠତା ସର୍ବଦା ଶୁଣିବାକୁ ମିଳେ ।
ସଚିନ ଭାରତ ଓ ଏସିଆ ଏକାଦଶ ପାଇଁ ରେକର୍ଡ ମୋଟ 463 ଦିନିକିଆ ମ୍ୟାଚ ଖେଳିଛନ୍ତି । ସେଥିମଧ୍ୟରୁ 234ଟି ମ୍ୟାଚରେ ସେ ବିଜେତା ରହିଛନ୍ତି । ଏହି ସଂଖ୍ୟାରେ ସଚିନ ଖେଳିଥିବା, ବାତିଲ ମ୍ୟାଚ, ଅମୀମାଂସିତ ମ୍ୟାଚ କିମ୍ବା ବିନା ଫଳାଫଳରେ ଶେଷ ହୋଇଥିବା ମ୍ୟାଚକୁ ସାମିଲ କରାଯାଇନାହିଁ । ଫଳରେ ନିଜ କ୍ୟାରିୟରରେ ସଚିନ ଖେଳିଥିବା ମୋଟ ଦିନିକିଆ ମ୍ୟାଚ ସଂଖ୍ୟାର 50 ପ୍ରତିଶତରୁ ଅଧିକ ମ୍ୟାଚରେ ବିଜେତା ରହିଛନ୍ତି । ମୋଟ 49ଟି ଦିନିକିଆ ଶତକ ମଧ୍ୟରୁ 33ଟି ଶତକ ବିଜୟୀ ମ୍ୟାଚରେ ରହିଛି ।
ଅନ୍ତର୍ଜାତୀୟ କ୍ରିକେଟରେ ସଚିନ ତେନ୍ଦୁଲକର ସର୍ବାଧିକ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ( ଟେଷ୍ଟ କ୍ରିକେଟ) 15,921 ଓ ଦିନିକିଆ କ୍ରିକେଟରେ 118,426 ରନ ସଂଗ୍ରହ କରିଛନ୍ତି । ତେବେ କ୍ୟାପଟେନ ଭାବେ ସଚିନ, ବିଜୟର ପ୍ରତିଶତ ହିସାବରେ ସଫଳ ରେକର୍ଡର ଅଧିକାରୀ ହୋଇପାରିନାହାନ୍ତି । ମୋଟ 73ଟି ଦିନିକିଆରେ ଟିମ ଇଣ୍ଡିଆର କ୍ୟାପଟେନ ରହିଛନ୍ତି ସେ । ସେଥିମଧ୍ୟରୁ 43ଟି ମ୍ୟାଚରେ ଭାରତ ପରାଜୟର ସାମ୍ନା କରିଛି ।
3. ସନଥ ଜୟସୁରିୟା

1996 ବିଶ୍ବକପ ବିଜୟୀ ଶ୍ରୀଲଙ୍କା ଦଳର ମହାନ ସନଥ ଜୟସୁରିୟା ନିଜ ସମୟରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଓ ବିସ୍ପୋଟକ ବ୍ୟାଟ୍ସମ୍ୟାନ ରହିଛନ୍ତି । ଶ୍ରୀଲଙ୍କା ଓ ଏସିଆ ଏକାଦଶ ପାଇଁ ମୋଟ 445 ଦିନିକିଆ ମ୍ୟାଚ ଖେଳିଛନ୍ତି ଭେଟେରାନ ଜୟସୁରିୟା ।
ବାମହାତୀ ଆକ୍ରମଣାତ୍ମକ ବ୍ୟାଟିଂ ସହ ବେଳେବେଳେ ବୋଲିଂ ମଧ୍ୟ କରନ୍ତି ଜୟସୁରିୟା । 1996 ବିଶ୍ବକପରେ 221 ରନ ସହ 7 ୱିକେଟ ଅକ୍ତିଆର କରି ମ୍ୟାନ ଅଫ ଦ ଟୁର୍ଣ୍ଣାମେଣ୍ଟ ରହିଥିଲେ । 445 ଦିନିକିଆ ମଧ୍ୟରୁ ସେ 233ଟି ମ୍ୟାଚରେ ବିଜେତା ରହିଛନ୍ତି । 117ଟି ଦିନିକିଆ ମ୍ୟାଚରେ ଶ୍ରୀଲଙ୍କା କ୍ୟାପଟେନ ମଧ୍ୟ ରହିଛନ୍ତି ସେ । ତାଙ୍କ ଅଧିନାୟକତ୍ବରେ 2003 ବିଶ୍ବକପ ସେମିଫାଇନାଲରେ ପହଞ୍ଚିଥିଲା ଶ୍ରୀଲଙ୍କା । ମାତ୍ର ଅଷ୍ଟ୍ରେଲିଆ ଠାରୁ ସେମିଫାଇନାଲରେ ପରାଜିତ ହୋଇ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଥିଲା । ଅଧିନାୟକ ଭାବେ ସେ 65ଟି ମ୍ୟାଚରେ ବିଜୟୀ ଓ 47ଟି ମ୍ୟାଚରେ ପରାଜିତ ହୋଇଛନ୍ତି ।
4. ମହେଲା ଜୟବର୍ଦ୍ଧନେ

ଏହି ତାଲିକାରେ ଏସିଆନ ବ୍ୟାଟ୍ସମ୍ୟାନଙ୍କ ପ୍ରଭାବ ରହିଛି । 4ର୍ଥ ସ୍ଥାନରେ ଶ୍ରୀଲଙ୍କାର ଅନ୍ୟତମ ମହାନ ବ୍ୟାଟ୍ସମ୍ୟାନ ମହେଲା ଜୟବର୍ଦ୍ଧନେ ରହିଛନ୍ତି । ସଚିନଙ୍କ 463 ପରେ 2ୟ ସର୍ବାଧିକ ଭାବେ ଜୟବର୍ଦ୍ଧନେ ମୋଟ 448 ଦିନିକିଆ ମ୍ୟାଚ ଖେଳିଛନ୍ତି ।
ଦିନିକିଆ କ୍ରିକେଟରେ 33.37 ହାରରେ ସେ 12,650 ରନ ସଂଗ୍ରହ କରିଛନ୍ତି । ସେହିପରି ଟେଷ୍ଟ କ୍ରିକେଟରେ 49.84 ହାରରେ 11,814 ରନ ସଂଗ୍ରହ କରିଛନ୍ତି ।
ଦିନିକିଆ କ୍ୟାରିୟରରେ 241ଟି ମ୍ୟାଚରେ ସେ ବିଜୟୀ ରହିଛନ୍ତି । ଏହି ସଂଖ୍ୟା ଶୀଲଙ୍କା ଖେଳାଳି ଭାବେ ସର୍ବାଧିକ ଓ ପଏଣ୍ଟିଂଙ୍କ ପରେ 262 ପରେ ବିଶ୍ବରେ 2ୟ ସର୍ବାଧିକ । 130ଟି ମ୍ୟାଚରେ ଶ୍ରୀଲଙ୍କାର ଅଧିନାୟକ ଦାୟିତ୍ବ ତୁଲାଇଛନ୍ତି ମହେଲା ଜୟବର୍ଦ୍ଧନେ । ତାଙ୍କ ନେତୃତ୍ବରେ ଶ୍ରୀଲଙ୍କା 2007 ବିଶ୍ବକପ ଫାଇନାଲରେ ପହଞ୍ଚିଥିଲା । ମାତ୍ର ଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆ ଠାରୁ 53 ରନରେ ପରାଜିତ ହୋଇଥିଲା ଶ୍ରୀଲଙ୍କା । କ୍ୟାପଟେନ ଭାବେ ଜୟବର୍ଦ୍ଧନେ 72ଟି ମ୍ୟାଚରେ ବିଜେତା ରହିଥିବା ବେଳେ, 49 ମ୍ୟାଚରେ ପରାଜିତ ରହିଛନ୍ତି ।
5.ଇଞ୍ଜାମାମ-ଉଲ-ହକ

ତାଲିକାର ପଞ୍ଚମ ସ୍ଥାନରେ ପାକିସ୍ତାନର ଭେଟେରାନ କ୍ରିକେଟର ଇଞ୍ଜାମାମ-ଉଲ-ହକ ରହିଛନ୍ତି । ପାକିସ୍ତାନ, ଏସିଆ ଏକାଦଶ ଓ ଆଇସିସି ବିଶ୍ବ ଏକାଦଶ ପାଇଁ ଇଞ୍ଜାମାମ ମୋଟ 378 ମ୍ୟାଚ ଖେଳିଛନ୍ତି । ଦିନିକିଆ କ୍ରିକେଟ ଇତିହାସରେ ପାକିସ୍ତାନର 11,739 ରନ ସହ ସର୍ବାଧିକ ଦିନିକିଆ ରନ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି ଇଞ୍ଜାମାମ-ଉଲ-ହକ । 1992 ବିଶ୍ବକପ ବିଜେତା ପାକିସ୍ତାନ ଦଳର ହିରୋ ରହିଛନ୍ତି ସେ ।
1992ରେ ଦିନିକିଆ ଡେବ୍ୟୁ ପରେ 2007 ଅବସର ପର୍ଯ୍ୟନ୍ତ ସେ 215ଟି ମ୍ୟାଚରେ ବିଜେତା ରହିଛନ୍ତି । 89ଟି ଦିନିକିଆ ମ୍ୟାଚରେ ପାକିସ୍ତାନର କ୍ୟାପଟେନ ମଧ୍ୟ ରହିଛନ୍ତି ଇଞ୍ଜାମାମ । ସେଥିମଧ୍ୟରୁ 52ଟିରେ ବିଜୟୀ ରହିଛନ୍ତି । ପାକିସ୍ତାନ କ୍ରିକେଟ ଇତିହାସରେ ଅନନ୍ୟ ମ୍ୟାଚ ବିଜେତା ଥିଲେ ଇଞ୍ଜାମାମ-ଉଲ-ହକ । ଉଭୟ ଅଧିନାୟକ ଓ ବ୍ୟାଟ୍ସମ୍ୟାନ ଭାବେ ସେ ପାକିସ୍ତାନ ପକ୍ଷରୁ ସର୍ବକାଳୀନ ଶ୍ରେଷ୍ଠ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ