ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ ବାହିନୀ 2-1ରେ ସିରିଜ ହାତେଇଛି । ଏହି ବିଜୟ ପରେ ଅଧିନାୟକ କୋହଲି ବହୁତ ଉତ୍ସାହିତ ଥିବା କହିଛନ୍ତି। କାରଣ ତାଙ୍କର ଟିମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଅଷ୍ଟ୍ରେଲିଆ ଟିମକୁ ହରାଇଛି। ଯେଉଁ ଦଳରେ ଷ୍ଟିଭ ସ୍ମିଥ, ଡେଭିଡ ୱାର୍ଣ୍ଣର ଓ ମାର୍ନସ ଲାବୁଶେନ ଭଳି ଖେଳାଳି ଅଛନ୍ତି ।
ଭାରତ ନିର୍ଣ୍ଣାୟକ ମ୍ୟାଚରେ 7 ଓ୍ବିକେଟରେ ବିଜୟ ପରେ କୋହଲି କହିଛନ୍ତି ଯେ, ଏହି ଅଷ୍ଟ୍ରେଲିଆ ଦଳ ପୂର୍ବ ଅପେକ୍ଷା ଆହୁରି ମଜବୁତ୍ ଦଳ ହୋଇଛି । ଏଥିରେ ଷ୍ଟିଭ,ଡେଭିଡ ଓ ମାର୍ନସ ଅଛନ୍ତି । ସେମାନଙ୍କ ବ୍ୟାଟିଂ ବେଶ୍ ସାନଦାର୍ । ଆମେ ବିଗତ ସିରିଜରେ 3ଟି ମ୍ୟାଚ ହାରିଯାଇଥିଲୁ। ହେଲେ ଏବେ ପ୍ରଥମ ମ୍ୟାଚରେ ପରାସ୍ତ ହେବା ପରେ 2ଟି ମ୍ୟାଚରେ ବିଜୟ ହାସଲ କରିବା ବେଶ୍ ଉତ୍ସାହଜନକ।
ଆହୁରି ମଧ୍ୟ ବିରାଟ କହିଛନ୍ତି ଯେ, ଗତବର୍ଷ ଘରୋଇ ସିରିଜରେ ପରାସ୍ତ ହେବା ପରେ ଏବେ ଏପରି ଜିତିବା ବେଶ୍ ସାନଦାର। ଆମ ପାଖରେ ବେଶ୍ ଅନୁଭବ ରହିଛି। ଶିଖର ଧୱନଙ୍କ ଅନୁପସ୍ଥିତି ଅନୁଭବ ହେଲା। ହେଲେ ରୋହିତ ଓ ମୁଁ ଥିଲୁ । ଆମକୁ ଆରମ୍ଭରୁ ଭଲ ଅରମ୍ଭ ମିଳିଲା। କେଏଲ ରାହୁଲ ଆଉଟ ହେବା ପରେ ପରିସ୍ଥିତି କଠିନ ଥିଲା। ହେଲେ ଆମର ଅନୁଭବ କାମରେ ଆସିଲା।
ଭାରତ ବେଙ୍ଗାଲୁରୁରେ ଭ୍ରମଣକାରୀ ଦଳ ଅଷ୍ଟେଲିଆକୁ 7 ଓ୍ବିକେଟରେ ମାତ୍ ଦେଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି 9 ଓ୍ବିକେଟ ବିନିମୟରେ 286ରନ କରିଥିଲା।ଜବାବରେ ଭାରତ ରୋହିତ ଶର୍ମାଙ୍କ 29ତମ ଶତକ ଓ କୋହଲିଙ୍କ 89 ବଳରେ 3 ଓ୍ବିକେଟ ହରାଇ 289ରନ୍ ହାସଲ କରି ମ୍ୟାଚ ନିଜ ନାଁରେ କରିଛି । ଏଥିସହ 3ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ 2-1ରେ ନିଜ ନାଁରେ କରିଛି।