ନୂଆଦିଲ୍ଲୀ: ରୋମାଞ୍ଚକ ମୋଡରେ ପହଞ୍ଚିଛି ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ । ଆଉ କେତୋଟି ମ୍ୟାଚ ପରେ ଖେଳାଯିବ ପ୍ଲେ-ଅଫ । ତେବେ ସିଜନ ଆରମ୍ଭରୁ ଧିମା ପଡିଥିବା ଦଳଗୁଡିକ ମଧ୍ୟ ଏବେ ପ୍ଲେ-ଅଫ ଦୌଡରେ ସାମିଲ ହେବାକୁ ତୟାର ହେଲେଣି । ତେବେ ପ୍ରତି ଦଳରେ ଏମିତି କିଛି ଖେଳାଳି ରହିଛନ୍ତି ଯେଉଁମାନେ କି ଏପର୍ଯ୍ୟନ୍ତ ନିଜର ପ୍ରଦର୍ଶନ ଦ୍ବାରା ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିପାରିନାହାନ୍ତି । ଯେତେବେଳେ କି ତାଙ୍କର ଫ୍ରାଞ୍ଚାଇଜ ସେମାନଙ୍କଠାରୁ ଅଧିକରୁ ଅଧିକ ଆଶା ରଖିଛନ୍ତି ।
ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ଖେଳାଳିଙ୍କ ଭିତରେ ସାମିଲ ଅଛନ୍ତି ଆଗାମୀ ବିଶ୍ବକପ ପାଇଁ ଘୋଷିତ ଭାରତୀୟ ଦଳର 3 ଭାରତୀୟ । ତେବେ ଏହି ଭଳି କିଛି ଖେଳାଳିଙ୍କୁ ନେଇ ଆମେ ଗଢିଛୁ ଚଳିତ ଆଇପିଏଲର ଫ୍ଲପ୍ ପ୍ଲେୟାର ଏକାଦଶ । ଆସନ୍ତୁ ନଜର ପକାଇବା ଏମାନଙ୍କ ଉପରେ ।
କ୍ୟାପ୍ଟେନ-
ସୁରେଶ ରୈନା- ( ଚେନ୍ନାଇ ସୁପର କିଙ୍ଗ୍ସ )
ଫ୍ଲପ୍-ପ୍ଲେୟାରଙ୍କ ଅଧିନାୟକ ରହିଛନ୍ତି ସୁରେଶ ରୈନା । ଚଳିତ ଆଇପିଏଲ୍ରେ କୋଲକାତା ବିପକ୍ଷ ମ୍ୟାଚରେ ସେ ମାତ୍ର ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ଏଯାବତ୍ ୧୨ଟି ମ୍ୟାଚ୍ରେ ସେ ୩ ଥର ୩୦ରୁ ଅଧିକ ରନ୍ କରିଛନ୍ତି । ଯେଉଁଠି ତାଙ୍କ ଆଭରେଜ୍ ମାତ୍ର ୨୨.୪୫ ରହିଛି । ଧୋନିଙ୍କ ଅନୁପସ୍ଥିତିରେ ରୈନା ଚେନ୍ନାଇ ପାଇଁ ଦୁଇଟି ମ୍ୟାଚ୍ରେ ଅଧିନାୟକ ହୋଇଥିବାବେଳେ ଦଳ ଦୁଇଟି ଯାକ ମ୍ୟାଚ ଦଳ ହାରିଛି ।
ବ୍ୟାଟ୍ସମ୍ୟାନ-
କେଦାର ଯାଦବ( ଚେନ୍ନାଇ ସୁପର କିଙ୍ଗ୍ସ )-
20.25 ହାରରେ ଚଳିତ ଆଇପିଏଲର ସର୍ବନିମ୍ନ ସ୍କୋରର ବନିଛନ୍ତି କେଦାର ଯାଦବ । 12ଟି ମ୍ୟାଚରୁ ସେ ୧୬୨ ରନ୍ କରିଛନ୍ତି । 7ଟି ମ୍ୟାଚରେ ବ୍ୟାଟିଂ କରି 5 ଥର ଆଉଟ ହୋଇସାରିଛନ୍ତି । ଏହି ଫର୍ମ ସହ ସେ ଆଗାମୀ ବିଶ୍ବକପରେ ଖେଳିବାକୁ ଯାଉଛନ୍ତି । ଯେଉଁଠି ସେ ମ୍ୟାଚର ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ମଧ୍ୟକ୍ରମରେ ଖେଳିବାକୁ ଯାଉଛନ୍ତି । ଏପରିକି ତାଙ୍କୁ ଫିନିସର ଭୂମିକା ମଧ୍ୟ ତୁଲାଇବାକୁ ପଡିପାରେ । ଯେଉଁଥିପାଇଁ ତାଙ୍କୁ ଚଳିତ ଆଇପିଏଲ ଅନେକ ସାହାଯ୍ୟ କରିବ ।
ଡେଭିଡ ମିଲର (କିଙ୍ଗ୍ସ ଏକାଦଶ ପଞ୍ଜାବ)-
ଦକ୍ଷିଣ ଆଫ୍ରିକାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲର କିନ୍ତୁ ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଚାଲି ନାହାନ୍ତି । ସେ ୬ଟି ମ୍ୟାଚ୍ ଖେଳି ଦୁଇ ଥର ୪୦+ ସ୍କୋର ଓ ୪ଥର ଏକ ଅଙ୍କ ବିଶିଷ୍ଟ ରନ କରିଛନ୍ତି । ଯେଉଁଠି ତାଙ୍କର ଆଭରେଜ ରହିଛି ୨୮.୮୫ ।
ଶୁଭମ ଗିଲ୍(କୋଲକାତା ନାଇଟ ରାଇଡର୍ସ)-
ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଗିଲ୍ । ଦିନିକିଆ ଡେବ୍ୟୁ କରିସାରିଛନ୍ତି । ମାତ୍ର ଚଳିତ ଆଇପିଏଲ ସିଜିନରେ ଏଯାଏଁ ଦିଲ୍ଲୀ ବିପକ୍ଷ ମ୍ୟାଚ୍ରେ ଗିଲ୍ଙ୍କ ୬୫ ରନ୍ର ଇନିଂସ୍ ଛାଡିଦେଲେ ତାଙ୍କ ବ୍ୟାଟ୍ ଆଦୌ ଚାଲିନାହିଁ । ସେ ଚଳିତ ସିଜିନ୍ରେ ମାତ୍ର ୨୦.୮୫ ହାରରେ ରନ କରିବାକୁ ସକ୍ଷମ ହୋଇଛନ୍ତି ।
ଅଲରାଉଣ୍ଡର-
ବେନ୍ ଷ୍ଟୋକ୍ସ(ରାଜସ୍ଥାନ ରୟାଲ୍ସ)-
ଏ ହେଉଛନ୍ତି ସେହି ଖେଳାଳି ଯିଏ ୨୦୧୭ ଓ ୨୦୧୮ ସିଜିନରେ ସବୁଠାରୁ ଦାମୀ ଖେଳାଳି ହୋଇଥିଲେ । ତେବେ ଷ୍ଟୋକ୍ସଙ୍କ ଭଳି ଜଣେ ଅଲରାଉଣ୍ଡର ମାତ୍ର ୨୦.୫୦ ହାରରେ ୧୨୩ ରନ କରିବାକୁ ସକ୍ଷମ ହୋଇଛନ୍ତି । ସେହିପରି ସେ ୧୧.୨୨ ଇକୋନୋମିରେ ୬ଟି ୱିକେଟ୍ ନେବାକୁ ସକ୍ଷମ ହୋଇଛନ୍ତି । ସେ ରାଜସ୍ଥାନ ପକ୍ଷରୁ ୯ଟି ମ୍ୟାଚ୍ ଖେଳିସାରିଛନ୍ତି । ତେବେ ସେ ଇଂଲଣ୍ଡ ବିଶ୍ବକପ କ୍ୟାମ୍ପ ପାଇଁ ଇଂଲଣ୍ଡ ଗସ୍ତ କରିସାରିଛନ୍ତି ।
ବିଜୟ ଶଙ୍କର(ହାଇଦ୍ରାବାଦ)-
କୋଲକାତା ବିପକ୍ଷ ମ୍ୟାଚ୍ରେ ବିଜୟ ଶଙ୍କର ଅପରାଜିତ ୪୦ ରନର ଇନିଂସ୍ ଖେଳି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ତେବେ ସମସ୍ତଙ୍କୁ ଚକିତ କରି ସେ ଭାରତୀୟ ବିଶ୍ବକପ ଦଳରେ ସାମିଲ ହୋଇଛନ୍ତି । ମାତ୍ର ପ୍ରଥମ ମ୍ୟାଚ୍ ପରେ ତାଙ୍କର ପ୍ରଦର୍ଶନ ଏକଦମ ଖରାପ ରହିଛି ।
ୱିକେଟ୍ କିପର-
ଅମ୍ବାତି ରାୟୁଡୁ ( ଚେନ୍ନାଇ ସୁପର କିଙ୍ଗ୍ସ )-
ଆଇପିଏଲର ସବୁଠାରୁ ସଫଳ ଦଳ ହେଉଛି ଚେନ୍ନାଇ ସୁପର କିଙ୍ଗ୍ସ । ମାତ୍ର ଓପନିଂ ଯୋଡିକୁ ଛାଡିଦେଲେ ଦଳର ମଧ୍ୟକ୍ରମ ଫେଲ ମାରିଛି । ସେଥିରେ ସାମିଲ ଅଛନ୍ତି ଅମ୍ବାତି ରାୟୁଡୁ । ଚଳିତ ସିଜିନ୍ରେ ରାୟୁଡୁ ମାତ୍ର ୨୧.୩୦ ହାରରେ ରନ୍ କରିବାକୁ ସକ୍ଷମ ହୋଇଛନ୍ତି । ବିଶ୍ବକପ ଦଳରେ ତାଙ୍କୁ ସାମିଲ ନକରିବା ନେଇ ବହୁତ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଲାଗୁଛି ବିଶ୍ବକପ ଦଳରୁ ବାଦ ପଡିବାର ଦୁଃଖରେ ସେ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା ।
ବୋଲର-
ଜୟଦେବ ଉନାଦକତ(ରାଜସ୍ଥାନ ରୟାଲ୍ସ)-
ଚଳିତ ଆଇପିଏଲର ସବୁଠାରୁ ଦାମୀ ଖେଳାଳି ହେଉଛନ୍ତି ଜୟଦେବ ଉନାଦକତ । ୨୦୧୭ ଆଇପିଏଲରେ ସେ ୧୨ଟି ମ୍ୟାଚ ଖେଳି ୨୪ଟି ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ମାତ୍ର ଚଳିତ ସିଜିନରେ ସେ 15ଟି ମ୍ୟାଚ ଖେଳି 11ଟି ୱିକେଟ ହାତେଇଛନ୍ତି ।
କୁଲଦୀପ ଯାଦବ (କୋଲକାତା)-
ନିକଟ ଅତୀତରେ ଭାରତ ପାଇଁ ଚତ୍ମକାର ପ୍ରଦର୍ଶନ କରିଥିବା ସ୍ପିନର କୂଲଦୀପ ଯାଦବଙ୍କ ଆଇପିଏଲ ପ୍ରଦର୍ଶନ ଏଥର ଏତେ ଖାସ ରହିନାହିଁ । ଅଧିକାଂଶ ମ୍ୟାଚରେ ସେ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍ରେ ୪ ଓଭର ବୋଲିଂ କରି ସେ ୫୯ ରନ୍ ବ୍ୟୟ କରିଥିଲେ । ଚଳିତ ସିଜିନରେ ଭାରତୀୟଙ୍କ ମଧ୍ୟରେ ସବୁଠାରୁ ଅଧିକ ରନ ବ୍ୟୟ କରିଥିବା ତାଲିକାରେ ସେ ରହିଛନ୍ତି ।
ପ୍ରସିଦ୍ଧ କ୍ରିଷ୍ଣା(କୋଲକାତା)-
ଗତ ଆଇପିଏଲ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ପ୍ରସିଦ୍ଧ ଏଥର ନୈରାଶ୍ୟଜନକ ବୋଲିଂ କରିଛନ୍ତି । ସେ ବର୍ତ୍ତମାନ ସୁଦ୍ଧା ୩୭.୨ ଓଭର୍ ବୋଲିଂ କରି ୩୫୫ ରନ୍ ବ୍ୟୟ କରିଛନ୍ତି । ତାଙ୍କ ବୋଲିଂ ହାର ୧୧୮.୩୩ ରହିଥିବା ବେଳେ ସେ ମାତ୍ର ୩ଟି ୱିକେଟ୍ ନେଇଛନ୍ତି ।
ଶାର୍ଦ୍ଦୁଲ ଠାକୁର(ଚେନ୍ନାଇ)-
ଚେନ୍ନାଇ ପକ୍ଷରୁ ସବୁଠାରୁ ଖରାପ ବୋଲିଂ କରିଥିବା ଖେଳାଳି ହେଉଛନ୍ତି ଶାର୍ଦ୍ଦୁଲ ଠାକୁର । ସେ ଏଯାଏ ୯.୨୪ ଇକୋନୋମିରେ ମାତ୍ର ୬ଟି ୱିକେଟ୍ ନେବାକୁ ସକ୍ଷମ ହୋଇଛନ୍ତି ।