ୱର୍ସଷ୍ଟର: ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ସତ୍ତ୍ବେ ପାକିସ୍ତାନ ଟିମ ଇଂଲଣ୍ଡ ଗସ୍ତରେ ରହିଛି । ଟିମର ସ୍ପିନ ବୋଲିଂ କୋଚ ମୁସ୍ତାକ ଅହମ୍ମଦ ଶୁକ୍ରବାର ପାକିସ୍ତାନ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ପକ୍ଷରୁ ନୂଆ ନିୟମ ସହ ଖେଳାଳିମାନେ ଅଭ୍ୟସ୍ତ ହେବାକୁ ସମସ୍ତ ପ୍ରୟାସ କରୁଥିବା ସେ କହିଛନ୍ତି । ପାକିସ୍ତାନ ଟିମ ଇଂଲଣ୍ଡ ବିପକ୍ଷରେ ଆସନ୍ତା ଅଗଷ୍ଟ ମାସରେ, 3 ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପରେ, ସମାନ ସଂଖ୍ୟକ ଟି-20 ମ୍ୟାଚ ଖେଳିବା ନେଇ ସୂଚୀ ରହିଛି ।
ପାକିସ୍ତାନ ଟିମର ସମସ୍ତ ସଦସ୍ୟ 14 ଦିନିଆ କ୍ବାରେଣ୍ଟିନରେ ରହିଛନ୍ତି । କ୍ବାରେଣ୍ଟିନ ସମୟ ଶେଷ ପରେ, ଜୁଲାଇ 13ରେ ଟିମ ଡର୍ବିସାୟର ଗସ୍ତ କରିବ । ସେଠାରେ ଦୁଇଟି ଗ୍ରୁପରେ ବିଭକ୍ତ ହୋଇ ଆଗାମୀ ସିରିଜ ପାଇଁ ପାକିସ୍ତାନ ଖେଳାଳି ପ୍ରସ୍ତୁତି ଆରମ୍ଭ କରିବେ । ଇଂଲିସ ପରିବେଶରେ ଖେଳିବାର ଅଭିଜ୍ଞତା ଭେଟେରାନ ବୋଲିଂ କୋଚ ମୁସ୍ତାକଙ୍କ ପାଖରେ ରହିଛି । ବର୍ଷ 1992 ଓ 1996 ରେ ପାକିସ୍ତାନ ଟିମ ସହ ସେ ଇଂଲଣ୍ଡ ଗସ୍ତରେ ଆସିଛନ୍ତି । 1996ରେ ପାକିସ୍ତାନ 2-0ରେ ସିରିଜ ବିଜୟୀ ହୋଇଥିଲା । ଦର୍ଶକଙ୍କ ଅନୁପସ୍ଥିତ ଖେଳାଳି ଅନୁଭବ କରିବେ । ତେବେ ବର୍ତ୍ତମାନ ସମୟକୁ ଦୃଷ୍ଟିରେ ରଖି ଖାଲି ଷ୍ଟାଡିୟମରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସମସ୍ତେ ପ୍ରୟାସ କରିବେ ବୋଲି ମୁସ୍ତାକ କହିଛନ୍ତି ।
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଓଲ୍ଡ ଟ୍ରାଫର୍ଡରେ ଅଗଷ୍ଟ 5ରେ ପ୍ରଥମ ଟେଷ୍ଟ, ଏଜେଲ ବାୱଲରେ ଅଗଷ୍ଟ 13 ଓ 21ରେ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ଟେଷ୍ଟ ଖେଳାଯିବା ନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ