କୋଲକାତା: ଦେଶରେ ମହାମାରୀ କୋରୋନା ଭାଇରସର ପ୍ରଭାବ କମିବାର ନାଁ ନେଉନାହିଁ । ହୁ ହୁ ହୋଇ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ପରିବାର ସଦସ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଗାଙ୍ଗୁଲିଙ୍କ ବଡ ଭାଇ ତଥା ବେଙ୍ଗଲ କ୍ରିକେଟ ଆସୋସିଏସନ(CAB)ର ସଂପାଦକ ସ୍ନେହାଶିଷ ଗାଙ୍ଗୁଲିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ରହିଛି । ଏନେଇ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।
କେବଳ ସ୍ନେହାଶିଷ ନୁହଁନ୍ତି, ପତ୍ନୀ, ଶାଶୁ ଓ ଶ୍ବଶୁରଙ୍କ ଟେଷ୍ଟ ରିପୋର୍ଟ ମଧ୍ୟ ଗତ ସପ୍ତାହରେ ପଜିଟିଭ ଚିହ୍ନଟ ହୋଇଥିଲା । ନିକଟରେ ସ୍ଥାନୀୟ ମୋମିନପୁରସ୍ଥିତ ସ୍ନେହାଶିଷ ରହୁଥିବା ଘରେ ଜଣେ କର୍ମଚାରୀ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ପଜିଟିଭ ସମସ୍ତଙ୍କୁ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ଠାରେ କୋରୋନା ଲକ୍ଷଣ ଥିବା ଜଣାପଡିଛି ।
ତେବେ ଆସନ୍ତା ଶନିବାର ପୁନର୍ବାର ସମସ୍ତଙ୍କର 2ୟ ଦ୍ବିତୀୟ ଟେଷ୍ଟ କରାଯିବ । ଏହାପରେ ଚିକିତ୍ସା ନେଇ ଅନ୍ୟ ନିଷ୍ପତ୍ତି ନିଆଯିବ ବୋଲି ନର୍ସିଂହୋମ ପକ୍ଷରୁ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ