ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ସୋସିଆଲ ମିଡିଆରେ ବିସିସିଆଇର ନୂଆ ଟିମ ସହ ଫଟୋ ସେୟାର କରିଛନ୍ତି । ସେହି ଫଟୋରେ ଦାଦାଙ୍କ ସହ ଜୟ ଶାହା, ଜୟେଶ ଜର୍ଜ, ଅରୁଣ ଧୁମାଲ ଓ ବିସିସିଆଇର ପୂର୍ବ ଅଧ୍ୟକ୍ଷ ଅନୁରାଗ ଠାକୁର ଓ ମହିମ ବର୍ମା ନଜର ଆସିଛନ୍ତି ।
ସୌରଭ ଗାଙ୍ଗୁଲି ଏବେ ବିସିସିଆଇର ଅଧ୍ୟକ୍ଷ ହେବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଆସନ୍ତା 23ତାରିଖ ଦିନ ଆନୁଷ୍ଠାନିକ ଭାବେ ଘୋଷଣା ହେବ ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ଅଧିକାରୀ ଦଳ ।
ମଙ୍ଗଳବାର ଦିନ ଦାଦା ନିଜର ଟ୍ବିଟର ଆକାଉଣ୍ଟରେ ବିସିସିଆଇର ନୂଆ ଟିମ ସହ ଏକ ଫଟୋ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ବିସିସିଆଇର ନୂଆ ଟିମ । ଆଶା କରୁଛି ଆମେମାନେ ମିଶି ଭଲ କାମ କରିବୁ । ଏଥିପାଇଁ ଅନୁରାଗ ଠାକୁରଙ୍କୁ ଧନ୍ୟବାଦ ।
ସମ୍ପାଦକ ପଦ ପାଇଁ ଅମିତ ଶାହାଙ୍କ ପୁଅ ଜୟ ଶାହା, ଯୁଗ୍ମ ସମ୍ପାଦକ ପଦ ପାଇଁ ଜୟେଶ ଜର୍ଜ, କୋଷାଧ୍ୟକ୍ଷ ଅରୁଣ ଧୂମାଲ ଓ ଉପାଧ୍ୟକ୍ଷ ମହିମ ବର୍ମା ହେବେ ।