ହାଇଦ୍ରାବାଦ: ଦୀର୍ଘ ଦିନର ବିରତି ପରେ ପୁଣି ଥରେ ଆଲୋଚନା ପର୍ଯ୍ୟାଲୋଚନା ପରିସରକୁ ଆସିଛି ଭାରତୀୟ ୱିକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ଖବର । ମାତ୍ର ଏଥର ଟିକେ ହଟେକ୍ ରହିଛି ଖବର । କାରଣ ଖୋଦ୍ ଧୋନିଙ୍କ ପତ୍ନୀ ସାକ୍ଷୀ ସିଂ ଧୋନି ଏଥର ସ୍ବାମୀଙ୍କ ଅବସର ଖବର ନେଇ ମୁହଁ ଖୋଲିଛନ୍ତି । ଏକ ଟ୍ବିଟ କରି ଧୋନିଙ୍କ ସମାଲୋଚକମାନଙ୍କୁ କଡା ଜବାବ୍ ଦେଇଛନ୍ତି ସାକ୍ଷୀ । ମାତ୍ର ପରେ ସେ ଟ୍ବିଟ୍ଟିକୁ ଡିଲିଟ୍ କରି ଦେଇଛନ୍ତି ।
ତେବେ ଗତକାଲି(ବୁଧବାର) ଧୋନି ରିଟାୟର୍ସ (#dhoniRetires) ନାମକ ଏକ ହ୍ୟାସଟ୍ୟାଗ୍ ଟ୍ବିଟରେ ଟ୍ରେଣ୍ଡ କରିବାକୁ ଲାଗିଲା । ଯେଉଁଥିରେ ଧୋନିଙ୍କ ଅବସର ଖବର ନେି ଚର୍ଚ୍ଚା ହେଉଥିଲା । ଏହା ପରେ ସାକ୍ଷୀ ନିଜ ଅଫିସିଆଲ ଟ୍ବିଟର ହ୍ୟାଣ୍ଡଲରେ ଏହି ସମାଲୋଚକଙ୍କୁ କଡା ଜବାବ୍ ଦେଇଥିଲେ । ସାକ୍ଷୀ ଲେଖିଥିଲେ,
‘‘ଏହା କେବଳ ଗୁଜବ । ମୁଁ ବୁଝି ପାରୁଛି ଲକଡାଉନ ଲୋକମାନଙ୍କ ମାନସିକ ସ୍ଥିତିକୁ ବିଗାଡି ଦେଇଛି । #dhoniRetires. ଗେଟ୍ ଏ ଲାଇଫ ସିକ୍!’’
ତେବେ ପରବର୍ତ୍ତୀ ମୁହୁର୍ତ୍ତରେ ଏହି ଟ୍ବିଟକୁ ସାକ୍ଷୀ ଡିଲିଟି କରି ଦେଇଥିଲେ । ଏହା ପ୍ରଥମଥର ହୋଇ ନାହିଁ ଯେ, ସାକ୍ଷୀ ଧୋନିଙ୍କ ଅବସରର ଖବର ନେଇ ମୁହଁ ଖୋଲିଛନ୍ତି । ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଅବସର ଖବରକୁ ସାକ୍ଷୀ ଖଣ୍ଡନ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ବକପ୍ ସେମିଫାଇନାଲ ପରଠାରୁ କୌଣସି ଅନ୍ତର୍ଜାତୀୟ କ୍ରିକେଟ ଖେଳିନଥିବା ଏହି 38 ବର୍ଷୀୟ କ୍ରିକେଟରଙ୍କ ଅବସର ନେଇ ସେବେଠାରୁ ଚର୍ଚ୍ଚା ଲାଗି ରହିଛି । ସେହିପରି ତାଙ୍କର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ସେନେଇ ମଧ୍ୟ ସେ ନିରବ ରହିଛନ୍ତି । ଏଥିସହ ପୂର୍ବତନ ଭାରତୀୟ ଅଧିନାୟକ ବିସିସିଆଇର କେନ୍ଦ୍ରୀୟ ଚୁକ୍ତିଭିତ୍ତିକ ଖେଳାଳି ତାଲିକାରେ ମଧ୍ୟ ନିଜ ପାଇଁ ସ୍ଥାନ ହରାଇ ସାରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ