ନୂଆଦିଲ୍ଲୀ: ବିଶ୍ବକପ ଦଳରେ ନାହାନ୍ତି, ମାତ୍ର ଷ୍ଟାଣ୍ଡବାଏରେ ଅଛନ୍ତି । ଦୁଇଦିନ ତଳେ ଘୋଷଣା ହୋଇଥିବା ଭାରତୀୟ ଦଳରେ ଯୁବ କ୍ରିକେଟର ଋଷବ ପନ୍ତ ଓ ଅମ୍ବାତି ରାୟୁଡୁଙ୍କ ନାମ ନଥିଲା । ମାତ୍ର ଏମାନଙ୍କୁ ବିଶ୍ବକପ ଦଳ ପାଇଁ ଷ୍ଟାଣ୍ଡବାଏରେ ରଖାଯିବ ବୋଲି ବୁଧବାର ବିସିସଆଇ ଘୋଷଣା କରିଛି । ପନ୍ତ ଓ ରାୟୁଡୁଙ୍କ ସହ ଦ୍ରୁତ ବୋଲର ନବଦୀପ ସାଇନିଙ୍କୁ ମଧ୍ୟ ୩ୟ ଷ୍ଟାଣ୍ଡବାଏ ଭାବେ ଚୟନ କରାଯାଇଛି।

ତେବେ ପିଟିଆଇର ସୂଚନାନୁସାରେ ବିସିସିଆଇ ଏହି ଷ୍ଟେଟମେଣ୍ଟ ଦେଇଛି । ବିସିସିଆଇ କହିଛି ‘ଆଇସିସି ଚାମ୍ପିୟନ୍ସ ଟ୍ରଫି ପରି ଆମେ ୩ଜଣ ଷ୍ଟାଣ୍ଡବାଏ ଖେଳାଳିଙ୍କୁ ରଖିଛୁ। ରିଷଭ ପନ୍ତ ଓ ଅମ୍ବାତି ରାୟୁଡୁ ପ୍ରଥମ ଓ ୨ୟ ଷ୍ଟାଣ୍ଡବାଏ ଖେଳାଳି ରହିଥିବାବେଳେ ବୋଲରଭାବେ ସାଇନିଙ୍କୁ ନିଆଯାଇଛି। ଯଦି କୌଣସି ଖେଳାଳି ବିଶ୍ୱକପ୍ ସମୟରେ ଆଘାତ ହୁଅନ୍ତି ତେବେ ଆବଶ୍ୟକତା ଅନୁଯାୟୀ ୩ଜଣଙ୍କ ମଧ୍ୟରୁ ଯିଏ ହେଲେ ଇଂଲଣ୍ଡ ଗସ୍ତ କରିବେ’ ।

ଏହା ପୂର୍ବରୁ ଖଲିଲ୍ ଅହମ୍ମଦ, ଅଭେଷ ଖାଁ ଓ ଦୀପକ ଚହରଙ୍କୁ ନେଟ୍ସ ବୋଲର ଭାବେ ଚୟନ କରାଯାଇଥିଲା । ବିଶ୍ବକପ୍ ସମୟରେ ନେଟ୍ସରେ ଭାରତୀୟ ଖେଳାଳିଙ୍କୁ ବୋଲିଂ କରିବା ପାଇଁ ଏହି ୩ଜଣ ଇଂଲଣ୍ଡ ଗସ୍ତ କରିବେ ବୋଲି ଜଣାପଡ଼ିଥିଲା ।