ନୂଆଦିଲ୍ଲୀ: ଇଂଲଣ୍ଡରେ 1999 ବିଶ୍ବକପ ସଚିନ ତେନ୍ଦୁଲକରଙ୍କ ପାଇଁ ଥିଲା ଖୁବ କଠିନ । ସୁପର ସିକ୍ସ ଭାରତ କେବଳ ଟୁର୍ଣ୍ଣାମେଣ୍ଟରୁ ବାହାରି ନଥିଲା, ଟୁର୍ଣ୍ଣାମେଣ୍ଟ ମଝିରେ ସଚିନଙ୍କର ବ୍ୟକ୍ତିଗତ ଭାବରେ ହୋଇଥିଲା ଏକ ଅପୂରଣୀୟ କ୍ଷତି । ନିଜ ବାପାଙ୍କୁ ହରାଇ ମଝି ଟୁର୍ଣ୍ଣାମେଣ୍ଟରୁ ଭାରତ ଫେରି ଆସିଥିଲେ ସଚିନ । ପ୍ରଥମ ଦୁଇଟି ମ୍ୟାଚ ହାରିବା ପରେ ଭାରତକୁ ଏକ ବିଜୟର ନିହାତି ଆବଶ୍ୟକତା ଥିଲା ଏବଂ ତେନ୍ଦୁଲକର ହିଁ ମେ 23, 1999 ରେ ଏକ ଭାବବିହ୍ବଳ ଶତକ ଦ୍ବାରା ଭାରତକୁ ସେହି ବିଜୟ ଆଣି ଦେଇଥିଲେ ।
ବିଶ୍ବକପର ଦ୍ବିତୀୟ ମ୍ୟାଚରେ ଭାରତ ଚାରି ୱିକେଟ ହରାଇ ଦକ୍ଷିଣ ଆଫ୍ରିକା ଠାରୁ ହାରିଯାଇଥିଲା । ଲିସେଷ୍ଟରରେ ଜିମ୍ବାୱେ ବିପକ୍ଷ ମ୍ୟାଚର ଗୋଟିଏ ଦିନ ପୂର୍ବରୁ ତେନ୍ଦୁଲକରଙ୍କ ପାଖକୁ ପତ୍ନୀ ଅଞ୍ଜଳି ଆସିଥିଲେ ଓ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ଖବର ଦେଇଥିଲେ । ବାପା ରମେଶ ତେନ୍ଦୁଲକରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ସଚିନ ଫ୍ଲାଇଟରେ ଭାରତ ଫେରିଥିଲେ । ଯାହାର ମାନେ ଥିଲା ଭାରତ ନିଜ ଟପ ବ୍ୟାଟ୍ସମ୍ୟାନ ବିନା ଜିମ୍ବାୱେ ବିପକ୍ଷ ମ୍ୟାଚ ଖେଳିବ ।
ଏହି ଟୁର୍ଣ୍ଣାମେଣ୍ଟର ଭାରତୀୟ ମ୍ୟାନେଜର ଥିବା ବ୍ରିଜେଶ ପଟେଲ ବିବିସିଙ୍କୁ କହିଥିଲେ ଯେ, “ସଚିନଙ୍କ ବର୍ତ୍ତମାନ ଏକ ଶକ୍ତ ଆଘାତ ପାଇଛନ୍ତି, ସେ ତାଙ୍କ ପିତାଙ୍କ ସହ ଅତି ନିକଟତର ଥିଲେ । ତାଙ୍କ ମୃତ୍ୟୁ ଅପ୍ରତ୍ୟାଶିତ ଥିଲା ଯଦିଓ ସେ ପୂର୍ବରୁ ଅସୁସ୍ଥ ଥିଲେ କିନ୍ତୁ ସୁସ୍ଥ ହୋଇଯାଇଥିଲେ । ସଚିନ ଆଜି ସକାଳେ ଘରକୁ ଫେରିଛନ୍ତି କିନ୍ତୁ ଆମେ ଆଶା କରୁଛୁ ସେ ରବିବାର ଦିନ କେନିଆ ବିପକ୍ଷରେ କିମ୍ବା ସବୁଠାରୁ ଖରାପ ପରିସ୍ଥିତିରେ ଆସନ୍ତା ବୁଧବାର ଶ୍ରୀଲଙ୍କା ବିପକ୍ଷରେ ଖଳିବେ।”
ଭାରତ ତିନି ରନରେ ହାରିଯାଇଥିଲା ଆଉ ତେନ୍ଦୁଲକରଙ୍କ ଅନୁପସ୍ଥିତି ସମସ୍ତେ ଅନୁଭବ କରିଥିଲେ । ଦୁଇଟି ମ୍ୟାଚରେ ଦୁଇଟି ପରାଜୟ ପରେ ସୁପର ସିକ୍ସକୁ ଯିବା ପାଇଁ ଭାରତକୁ ଲିଗର ଅନ୍ତିମ ତିନୋଟି ମ୍ୟାଚ ଜିତିବାର ଆବଶ୍ୟକତା ଥିଲା । ଭାରତର ଅଭିଯାନ ସେତେ ଭଲ ନଥିଲା । ତେନ୍ଦୁଲକର କେନିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଫେରିଥିଲେ । ନିହାତି ଏକ ବିଜୟ ଆବଶ୍ୟକ କରୁଥିବା ଭାରତୀୟଟିମ 2 ୱିକେଟ ହରାଇ 90 ରନ କରିଥିବା ସମୟରେ ତେନ୍ଦୁଲକର ବ୍ୟାଟିଂ ପାଇଁ ଯାଇଥିଲେ । ଦ୍ରାବିଡଙ୍କ ସହ ବ୍ୟାଟିଂ କରୁଥିବା ସଚିନଙ୍କ ମୁଣ୍ଡରେ ଯେମିତି ରନ କରିବାର ଏକ ଭୂତ ସବାର ଥିଲା ।
କେନିଆ ଏତେ ଶକ୍ତିଶାଳୀ ଟିମ ନଥିଲେ ବି ବିଶ୍ବକପର ଦୁଇଟି ମ୍ୟାଚ ହାରିବା ସହ ବ୍ୟକ୍ତିଗତ ଭାବରେ ଏତେ ବଡ ଦୁଃଖ ଦେଇ ଗତି କରିବା ପରେ ଯେ କେହି ଭାଙ୍ଗି ପଡିଥାନ୍ତା । ତେନ୍ଦୁଲକର କିନ୍ତୁ ଶାନ୍ତ ଭାବରେ କ୍ରିଜକୁ ଗଲେ, ପ୍ରଥମ ବଲକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଲେ । ତାଙ୍କୁ ଫର୍ମକୁ ଫେରିବାକୁ ବେଶି ସମୟ ଲାଗି ନଥିଲା । ଥରେ ଥୋମାସ ଓଡୋୟୋଙ୍କ ବଲକୁ ଡ୍ରାଇଭ କରିବା ପରେ ତେନ୍ଦୁଲକରଙ୍କ ପାଇଁ ଏହା ସହଜ ସାଧ୍ୟ ଥିଲା ।
ତୃତୀୟ ୱିକେଟ ପାଇଁ 237* ରନ ଯୋଡି ସେ ଏବଂ ଦ୍ରାବିଡ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରିଥିଲେ । ଦ୍ରାବିଡ ନିଜେ ଶତକ କରିଥିଲେ ଯାହା ତାଙ୍କର ପ୍ରଥମ ବିଶ୍ବକପ ଶତକ ଥିଲା । କିନ୍ତୁ ତେନ୍ଦୁଲକରଙ୍କ ଶତକ ସେଦିନ ଚର୍ଚ୍ଚାର ବିଷୟ ପାଲଟିଥିଲା । 54 ବଲରୁ ଅର୍ଦ୍ଧଶତକ ହାସଲ କରିବା ପରେ ତେନ୍ଦୁଲକରଙ୍କ ପରବର୍ତ୍ତୀ 50 ରନ 47 ବଲରେ କରିଥିଲେ । 44 ଓଭରରେ 264/2 ହୋଇଥିବା ବେଳେ ଅନ୍ତିମ 6 ଓଭରରେ 65 ରନ କରିଥିଲେ ଉଭୟ ଖେଳାଳି । ଦୁଇ ରନ ଦୌଡି ସଚିନ ନିଜର ଶତକ ପୂରା କଲେ ଆଉ ସ୍ବର୍ଗ ଆଡ଼କୁ ଚାହିଁଥିଲେ । ତେନ୍ଦୁଲକର ଶତକରେ ଉତ୍ସାହିତ ନଥିଲେ, କିନ୍ତୁ ସମସ୍ତେ ଜାଣିଥିଲେ, 84 ବଲରୁ ତାଙ୍କର ସେହି ଶତକ ଭାରତୀୟ ଟିମ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ଥିଲା ।
ସେ ସାମ୍ନା କରିଥିବା ପରବର୍ତ୍ତୀ 17ଟି ବଲରୁ ତେନ୍ଦୁଲକର 40 ରନ ସ୍କୋର କରି ଅନ୍ତିମ ବଲରେ ଛକା ମାରି ଇନିଂସ ଶେଷ କରି ଭାରତକୁ 329ରେ ପହଞ୍ଚାଇଥିଲେ ।
ବହୁ ବର୍ଷ ପରେ, ତେନ୍ଦୁଲକର ତାଙ୍କ ଆତ୍ମଜୀବନୀ ‘Playing it My Way’ରେ ତାଙ୍କ ପାଇଁ ସେହି ଶତକର ମାନେ କଣ ଥିଲା ତାହା ଲେଖାଛନ୍ତି । “ଭାରତରେ ଚାରି ଦିନ ରହିବା ପରେ ମୁଁ କେନିଆ ବିପକ୍ଷ ମ୍ୟାଚ ପୂର୍ବରୁ ଦଳରେ ଯୋଗଦେବା ପାଇଁ ଇଂଲଣ୍ଡ ଫେରିଥିଲି । ମତେ ଲାଗୁଥିଲା, ମୋ ବାପା ମୁଁ ଏହା ହିଁ କରେ ବୋଲି ଚାହିଁଥାନ୍ତେ, ତେଣୁ ତାହା ହିଁ ମତେ ଅବଶିଷ୍ଟ ବିଶ୍ବକପ ମ୍ୟାଚ ଖେଳିବା ପାଇଁ ଲଣ୍ଡନ ଫେରିବା ପାଇଁ ନିଷ୍ପତ୍ତି ନେବାରେ ସହାୟକ ହେଲା । ଯଦିଓ ମୁଁ କେନିଆ ବିପକ୍ଷ ମ୍ୟାଚରେ ଶତକ ହାସଲ କରିବାରେ ସଫଳ ହୋଇଥିଲି - ଯାହା ମୋର ସବୁଠୁ ପ୍ରିୟ ଶତକ ମଧ୍ୟରୁ ଗୋଟିଏ, ଯାହା ମୁଁ ମୋ ପିତାଙ୍କୁ ଉତ୍ସର୍ଗ କରିଥିଲି - ମୋର ମନ କିନ୍ତୁ ସବୁବେଳେ ଖେଳରେ ନଥିଲା।”