ୱେଲିଂଟନ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। 2ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ବେସିନ ରିଜର୍ଭ ୱେଲିଂଟନରେ ଖେଳାଯାଉଛି।
ହାଇଭୋଲଟେଜ ଟି-20 ଓ ଦିନିକିଆ ସିରିଜ ପରେ ଏବେ ଉଭୟ ଦଳର ଫୋକସ ଟେଷ୍ଟ ସିରିଜ ଉପରେ। 5ଟିକିଆ ଟି-20 ସିରିଜକୁ ଭାରତ ଏକତରଫା 5-0ରେ ଜିତି ନେଇଥିଲା। ପରେ ଦିନିକିଆ ସିରିଜ 3-0ରେ କ୍ଳିନସୁଇପ କରିଥିଲା ଘରୋଇ ଦଳ। ତେବେ ନ୍ୟୁଜିଲାଣ୍ଡ ଖେଳିଥିବା ଶେଷ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା । ସମସ୍ତ 3ଟି ଟେଷ୍ଟରେ ପରାଜିତ ହୋଇଥିଲା ଦଳ। ଫଳରେ ଘରୋଇ ମାଟିରେ ଭାରତ ବିପକ୍ଷରେ ଟେଷ୍ଟ ସିରିଜ ବିଜୟ ପାଇଁ ଜୋର ଲଗାଇବ ନ୍ୟୁଜିଲାଣ୍ଡ ।
![NZ VS IND](https://etvbharatimages.akamaized.net/etvbharat/prod-images/6146100_thh.jpg)
ଅନ୍ୟପଟେ ଭାରତୀୟ ଦଳ ଆଇସିସି ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ସ୍ବଦେଶର ଖେଳିଥିବା ସମସ୍ତ ସିରିଜରେ ବିଜୟୀ ହୋଇଛି ଭାରତ। ତେବେ ଭାରତୀୟ ଦଳର ଏହି ସିରିଜ, ଆଇସିସି ଟେଷ୍ଟ ଚମ୍ପିଆନସିପର ବିଦେଶରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ସିରିଜ। ସେଥିପାଇଁ ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ବିରାଟ ବାହୀନି ।
ଓପନର ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ପୃଥ୍ବୀ ଶ, ମୟଙ୍କ ଅଗ୍ରୱାଲଙ୍କ ସହ ଓପନିଂ ଦାୟିତ୍ବ ତୁଲାଇପାରନ୍ତି। ଏହାପରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ବର ପୂଜାରା, ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେ ରହିଛନ୍ତି। ମଧ୍ୟକ୍ରମରେ ହନୁମା ବିହାରୀ ଓ ରିଦ୍ଧିମାନ ଶାହା ରହିଛନ୍ତି। ଋଷଭ ପନ୍ତଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ଉପରେ ସମସ୍ତଙ୍କ ନଜର ରହିଛି । ଡିସେମ୍ବର 2018 ଆଡିଲେଡ ଟେଷ୍ଟ ପରେ ବିଦେଶରେ ପ୍ରଥମ ଟେଷ୍ଟ ଖେଳିବେ ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ । ଅନ୍ୟପଟେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟରେ ରବିନ୍ଦ୍ର ଜାଡେଜା ପୂର୍ବ ଗସ୍ତରେ ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରିଥିଲେ । ତେବେ ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିବା ନେଇ ଅନୁମାନ କରାଯାଉଛି । ମହମ୍ମଦ ସାମି, ଜଶପ୍ରିତ ବୁମରା, ଇଶାନ୍ତ ଶର୍ମାଙ୍କୁ ନେଇ ପେସ ଆଟାକ ଶକ୍ତିଶାଳୀ ରହିଛି।
![NZ VS IND](https://etvbharatimages.akamaized.net/etvbharat/prod-images/6146100_ggg.jpg)
ନ୍ୟୁଜିଲାଣ୍ଡ ବ୍ୟାଟିଂ ମୁଖ୍ୟତଃ ଟମ ଲାଥମ, କେନ ୱିଲିୟମସନ ଓ ରସ ଟେଲରଙ୍କ ଉପରେ ନିର୍ଭର କରିବ । ଟ୍ରେଣ୍ଟ ବୋଲ୍ଟ, ଟିମ ସାଉଦୀ, କେଲ ଜେମିଏସନଙ୍କୁ ନେଇ ନ୍ୟୁଜିଲାଣ୍ଡ ପେସ ଆଟାକ ମଧ୍ୟ ଶକ୍ତିଶାଳୀ ରହିଛି। ଫଳରେ ଉଭୟ ଦଳ ମଧ୍ୟରେ ଟି-20 ଓ ଦିନିକିଆ ସିରିଜ ଭଳି କ୍ରିକେଟର ଲମ୍ବା ଫର୍ମାଟରେ ମଧ୍ୟ କଡା ଟକ୍କର ହେବା ନେଇ ଆଶା କରାଯାଉଛି।
ଭାରତୀୟ ଦଳ: ପୃଥ୍ବୀ ଶ, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ବିରାଟ କୋହଲି(କ୍ୟାପଟେନ), ଅଜିଙ୍କ୍ୟ ରାହାଣେ, ରିଦ୍ଧିମାନ ଶାହା(ୱିକେଟ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ସାମି, ହନୁମା ବିହାରୀ, ଜଶପ୍ରିତ ବୁମରା, ନବଦୀପ ସାଇନି, ଋଷଭ ପନ୍ତ, ଶୁଭମନ ଗିଲ।
ନ୍ୟୁଜିଲାଣ୍ଡ ଦଳ: ଟମ ଲାଥମ, ଟମ ବ୍ଳେଣ୍ଡେଲ, କେନ ୱିଲିୟମସନ(କ୍ୟାପଟେନ), ରସ ଟେଲର, ହେନରୀ ନିକୋଲାସ, ବିଜେ ୱେଟଲିଙ୍ଗ(ୱିକେଟ କିପର), କଲିନ ଗ୍ରାଣ୍ଡହୋମ, କେଲ ଜେମିଏସନ, ଟିମ ସାଉଦୀ, ଟ୍ରେଣ୍ଟ ବୋଲ୍ଟ, ଏଜାଜ ପଟେଲ, ଡାରେଲ ମିଚେଲ, ମାଟ ହେନରୀ।