ନୂଆଦିଲ୍ଲୀ: ଚଳିତ ବର୍ଷ ଯଦି ଆଇପିଏଲ ନହୁଏ ତେବେ ବିସିସିଆଇର ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିବ ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ କହିଛନ୍ତି ଯେ ବିସିସିଆଇକୁ ପ୍ରାୟ 4000 କୋଟି ଟଙ୍କାର ଅପୂରଣୀୟ କ୍ଷତି ସହିବାକୁ ପଡିବ। କୋଭିଡ-19 ମହାମାରୀ ହେତୁ ଆଇପିଏଲର 13ତମ ସଂସ୍କରଣ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରହିଛି ।
ଆଇପିଏଲ 2020 ଚଳିତ ବର୍ଷ ମାର୍ଚ୍ଚ 29ରେ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ଭାରତ ସରକାର ବିଦେଶ ଭିସା ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏହାକୁ ଏପ୍ରିଲ ପ୍ରଯ୍ୟନ୍ତ ବାତିଲ କରାଗଲା । କିନ୍ତୁ ଯେତେବେଳେ ଭାରତରେ ଲକଡାଉନ ଘୋଷଣା କରାଗଲା ସ୍ଥିତି ଆହୁରି ଗମ୍ଭୀର ହୋଇଗଲା । ଅନିର୍ଦ୍ଦିଷ୍ଟ କାଳ ପାଇଁ ଚଳିତ ବର୍ଷର ଆଇପିଏଲକୁ ସ୍ଥଗିତ ରଖିବା ଛଡା ବିସିସିଆଇ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା ।
“ଆମକୁ ଆମର ଆର୍ଥିକ ସ୍ଥିତିର ସମୀକ୍ଷା କରିବାକୁ ପଡିବ, ଆମ ପାଖରେ କେତେ ଟଙ୍କା ଅଛି ଏବଂ ତାକୁ ନେଇ ନିଷ୍ପତ୍ତି ନେବାକୁ ପଡିବ । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଆୟୋଜନ ନକରିବା 4000 କୋଟି ଟଙ୍କା କ୍ଷତି ହେବ, ଆଉ ଏହା ଏକ ବଡ଼ କ୍ଷତି,’’ ବୋଲି କହିଛନ୍ତି ଗାଙ୍ଗୁଲି ।
ପୂର୍ବତନ ଭାରତୀୟ ଓପନର୍ ଏହା ମଧ୍ୟ ସୂଚାଇ ଦେଇଛନ୍ତି ଯେ ଯଦି ଚଳିତ ବର୍ଷ ଆଇପିଏଲ୍ ନହୁଏ ତେବେ ବୋର୍ଡକୁ ଦରମା ହ୍ରାସ କରିବାକୁ ପଡିବ।
“ଯଦି ଆଇପିଏଲ୍ ହୁଏ, ତେବେ ଦରମା ହ୍ରାସ କରିବାକୁ ପଡ଼ିବ ନାହିଁ । ଆମେ ସବୁ ଜିନିଷ ସମ୍ଭାଳି ନେବୁ ।”
ଗ୍ରାଉଣ୍ଡରେ କୌଣସି ଦର୍ଶକ ବିନା ବନ୍ଦ ଦ୍ବାର ପଛରେ ଆଇପିଏଲ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । ଏହାର ପ୍ରତିକ୍ରିୟାରେ ଗାଙ୍ଗୁଲି କହିଛନ୍ତି ଯେ ଏହାଦ୍ବାରା ଖେଳର ଆକର୍ଷଣ କମିଯିବ ।
“ହଁ, ଆକର୍ଷଣ କମ ହେବ । ମୋର ମନେ ଅଛି ଇଡେନ ଗାର୍ଡେନ୍ସରେ ଆମେ ଏପରି ସ୍ଥିତିରେ ଖେଳିଥିଲୁ । 1999ରେ ପାକିସ୍ତାନ ବିପକ୍ଷ ଏସୀୟ ଟେଷ୍ଟ ଚାମ୍ପିଅନସିପ ସମୟରେ ଲୋକଙ୍କ ଭିଡ ଅତ୍ୟଧିକ ହେବାରୁ ଅନ୍ତିମ ଦିନରେ ବିନା ଦର୍ଶକରେ ଆମକୁ ଖେଳିବାକୁ ପଡିଥିଲା ଏବଂ ଆମ ଭିତରେ ଉତ୍ସାହ କମ ହୋଇଯାଇଥିଲା,’’ ବୋଲି କହିଛନ୍ତି ବିସିସିଆଇ ଅଧ୍ୟକ୍ଷ ।
“ଯଦି ଭିଡ କମ ରହିବ ତେବେ କେବଳ ସାମାଜିକ ଦୂରତା ନିୟମ ନୁହିଁ, ଦର୍ଶକମାନେ କିପରି ଗ୍ୟାଲେରୀରୁ ବାହାରିବେ ସେନେଇ ଅଧିକାରୀମାନଙ୍କୁ ମଧ୍ୟ ଯତ୍ନବାନ ହେବାକୁ ପଡିବ । ପୋଲିସ ସୁରକ୍ଷା ବହୁତ କଠୋର କରିବାକୁ ପଡିବ । ଏହା ଏକ କଠିନ ନିଷ୍ପତ୍ତି ହେବ, ଏବଂ ଆମେ ପିରିସ୍ଥିତିରେ ଆମେ ରହିଛୁ ତାହା ବେଶ ଗୁରୁତର ଅଟେ,” ବୋଲି ଗାଙ୍ଗୁଲି କହିଛନ୍ତି।