ମୁମ୍ବାଇ: ଅପ୍ରତିଦ୍ବନ୍ଦିତ ଭାବେ ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଭାରତର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ବୁଧବାର ମୁମ୍ବାଇ ଠାରେ ସାଧାରଣ ବୈଠକରେ ସର୍ବ ସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି । ଗତ ସପ୍ତାହରେ ବିସିସିଆଇ ମୁଖ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଗାଙ୍ଗୁଲି । ତେବେ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ପରେ ଗାଙ୍ଗୁଲିଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ ।
ସୌରଭ ଗାଙ୍ଗୁଲି ଅଧ୍ୟକ୍ଷ ଭାବେ ନିଯୁକ୍ତ ହେବା ସହ ବିସିସିଆଇ ପରିଚାଳନା କମିଟିରେ ରହିଛନ୍ତି, ସମ୍ପାଦକ ଜୟ ଶାହ, କୋଷାଧ୍ୟକ୍ଷ ଅରୁଣ ସିଂହ ଧୁମାଲ, ମହିମ ବର୍ମା ସହକାରୀ ଅଧ୍ୟକ୍ଷ, ଜୟେସ ଜର୍ଜ ଯୁଗ୍ମ ସମ୍ପାଦକ ।
ବିଦାୟ ନେଉଥିବା ମୁଖ୍ୟ ବିନୋଦ ରାୟ କହିଛନ୍ତି ଯେ ବିସିସିଆଇର କାର୍ଯ୍ୟଭାର ସୌରଭ ଗାଙ୍ଗୁଲି ସମ୍ଭାଳୁଥିବାରୁ ସେ ଖୁବ ଖୁସି । ସେ କହିଛନ୍ତି ଯେ, ‘‘ ସୌରଭଙ୍କ ପ୍ରତି ମୋର ଖୁବ ସମ୍ମାନ ରହିଛି । ତେବେ କୋଲକାତା କ୍ରିକେଟ ଆସୋସିଏନକୁ ଚମତ୍କାର ଭାବେ ପରିଚାଳନା କରିଥିବା କ୍ରିକେଟର ଓ ବ୍ୟକ୍ତିତ୍ବ ବର୍ତ୍ତମାନ ବିସିଆଇ ପରିଚାଳନା କରିବା ଦେଖି ମୋର ତାଙ୍କ ପ୍ରତି ସମ୍ମାନ ଆହୁରି ବଢ଼ି ଯାଇଛି । ମୁଁ ଭାବୁନି ଯେ ସୌରଭଙ୍କ ଛଡା ଆଉ କେହି ଏହି କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇ ପାରିବେ ।’’
ସେପଟେ ଭାରତ ତଥା ଅନ୍ୟ ଦେଶର କ୍ରିକେଟର ମାନେ ମଧ୍ୟ ଦାଦାଙ୍କ ଅଧ୍ୟକ୍ଷ ନିଯୁକ୍ତ ହେବା ନେଇ ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ସୁରେଶ ରାଇନା, ଇରଫାନ ପଠାନ, ଅନୁରାଗ କଶ୍ୟପ ସମେତ ଅନେକ ନେତା ଓ ଅଭିନେତା ମଧ୍ୟ ଗାଙ୍ଗୁଲିଙ୍କୁ ଜଣାଇଛନ୍ତି ଶୁଭେଚ୍ଛା ।
ଗାଙ୍ଗୁଲି ମଧ୍ୟ ଅଧ୍ୟକ୍ଷ ହେବା ପରେ ଟ୍ବିଟ କରି ନିଜର ଖୁସି ବ୍ୟକ୍ତ କରିବା ସହ ଲେଖିଛନ୍ତି ଯେ, ‘‘ଏହା ମୋ ପାଇଁ ସମ୍ମାନ । ’’
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ