ନୂଆଦିଲ୍ଲୀ: ପାକିସ୍ତାନୀ ପେସ୍ ବୋଲର ମହମ୍ମଦ ଆମୀର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦିନିକିଆ କ୍ରିକେଟରେ ନିଜର କ୍ୟାରିଅର ଜାରି ରଖିବେ ବୋଲି ଅମୀର ସୂଚନା ଦେଇଛନ୍ତି ।
ଏହି ୨୭ ବର୍ଷୀୟ ବାମହାତି ବୋଲର 17 ବର୍ଷ ବୟଷରେ ଟେଷ୍ଟ ଡେବ୍ୟୁ କରିଥିଲେ । 2009 ଶ୍ରୀଲଙ୍କା ବିପକ୍ଷରେ ସେ ତାଙ୍କ କ୍ୟାରିଅରର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ଟେଷ୍ଟ କ୍ରିକେଟରେ ସେ 36ଟି ମ୍ୟାଚରୁ 119ଟି ୱିକେଟ ହାତେଇଛନ୍ତି । ଶେଷଥର ପାଇଁ 2019 ଜାନୁଆରୀରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚ ଖେଳିଥିଲେ ।
ପିସିବି ପକ୍ଷରୁ ଜାରି ବିଜ୍ଞପ୍ତିରେ ଆମୀର କହିଛନ୍ତି, "କ୍ରିକେଟର ଏହି ପାରମ୍ପରିକ ଫର୍ମାଟରେ ପାକିସ୍ତାନ ପକ୍ଷରୁ ପ୍ରତିନିଧିତ୍ୱ କରିବା ମୋ ପାଇଁ ସମ୍ମାନର କଥା । ଏବେ ମୁଁ ନିଷ୍ପତ୍ତି ନେଇଛି ଯେ, କ୍ରିକେଟର ଏହି ଲମ୍ବା ଫର୍ମାଟରୁ ଦୂରେଇ ଧଳା ବଲ୍ (ସୀମିତ ଓଭର) କ୍ରିକେଟ୍ ଉପରେ ଅଧିକ ଫୋକସ୍ କରିଛି । ତେବେ ଟେଷ୍ଟ କ୍ରିକେଟ୍ ଛାଡ଼ିବା ନେଇ ମୁଁ ବହୁ ଆଗରୁ ଯୋଜନା କରିଥିଲି" ।