ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡିଛନ୍ତି ଜଶପ୍ରୀତ ବୁମରା । ପିଠିରେ ଯନ୍ତ୍ରଣା ପରେ ତାଙ୍କୁ ବିଶ୍ରାମ ଦେଇଛନ୍ତି ଚୟନକର୍ତ୍ତା । ତାଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ବୁମରା ନିଜର ବୋଲିଂ ଆକ୍ସନ ପାଇଁ ଯନ୍ତ୍ରଣା ଅନୁଭବ କରିବା ଚର୍ଚ୍ଚା ହେଉଥିଲା । ଏନେଇ ମତ ରଖିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ଭେଟେରାନ ପେସ ବୋଲର ଆଶିଷ ନେହେରା ।
ନେହେରା କହିଛନ୍ତି ବୋଲିଂ ଆକ୍ସନ ବୁମରାଙ୍କ ଆହତର କାରଣ ନୁହେଁ । ଶୀଘ୍ର ସୁସ୍ଥହୋଇ ସେ ପୁଣିଥରେ ଦଳକୁ ଫେରିବେ । 2018ରୁ ଭାରତୀୟ ଦଳରେ ସଫଳତାରେ ବୁମରାଙ୍କର ବଡ ଯୋଗଦାନ ରହିଛି । ବୁମରା ଭାରତୀୟ ପେସ ଆଟାକର ପ୍ରମୁଖ ଅସ୍ତ୍ର ।
ବିଦେଶ ମାଟିରେ ଭାରତୀୟ ଦଳର ସଫଳତାରେ ବୁମରା ପ୍ରମୁଖ ଭୁମିକା ନିଭାଇଛନ୍ତି । ନିକଟରେ ଶେଷ ହୋଇଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟରେ ସେ ହାଟ୍ରିକ ୱିକେଟ ହାସଲ କରିଥିଲେ । ଏଥିସହିତ ପେସ ବୋଲର ଭାବେ ସବୁଠୁ ଦ୍ରୁତ 50 ୱିକେଟ ମଧ୍ୟ ଅକ୍ତିଆର କରିଥିଲେ । ଘାତକ ବୋଲିଂ ଯୋଗୁଁ ବିଦେଶ ଗସ୍ତରେ ଅଷ୍ଟ୍ରେଲିଆକୁ ପ୍ରଥମ ଥର ନିଜ ମାଟିରେ ହରାଇବାକୁ ସକ୍ଷମ ହୋଇଥିଲା ଭାରତ । ବୁମରା 5ୱିକେଟ ହାସଲ କରି କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କୁ ଶ୍ରୀଘ୍ର ପ୍ୟାଭିଲିୟନ ପଠାଇଥିଲେ । ଏହାସହ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ବିପକ୍ଷରେ ମଧ୍ୟ ବୁମରା 5 ୱିକେଟ ହାସଲ କରିଛନ୍ତି ।