ନୂଆଦିଲ୍ଲୀ: ଇରଫାନ ପଠାନ କହିଛନ୍ତି ଯେ ତାଙ୍କୁ ତିନି ନମ୍ବରରେ ବ୍ୟାଟିଂ ପାଇଁ ପଠାଇବାର ଯୋଜନା ସଚିନ ତେନ୍ଦୁଲକରଙ୍କର ଥିଲା ପୂର୍ବତନ କୋଚ ଗ୍ରେଗ ଚାପେଲଙ୍କର ନୁହେଁ । 2005 ଭାରତ ଶ୍ରୀଲଙ୍କା ସିରିଜରେ ସଚିନ ଦ୍ରାଡିଡଙ୍କୁ ଏହି ଆଇଡିଆ ଦେଇଥିଲେ ଯେ ଇରଫାନଙ୍କୁ 3 ନମ୍ବରରେ ବ୍ୟାଟିଂ କରିବାକୁ ସେ ପଠାନ୍ତୁ ।
ପଠାନ 70 ବଲରୁ 83 ଟି କରି ଭାରତକୁ 152 ରନରେ ମ୍ୟାଚ ଜିତିବାକୁ ସହାୟକ ହୋଇଥିଲେ । ତେବେ ପ୍ରାରମ୍ଭିକ ସମୟରେ ଭଲ ପ୍ରଦର୍ଶନ ସତ୍ତ୍ବେ ଇରଫାନଙ୍କୁ ମ୍ୟାନେଜମେଣ୍ଟ ଦ୍ବାରା ତାଙ୍କୁ ଅଲରାଉଣ୍ଡର ଭାବେ ମାନ୍ୟତା ମିଳିବା ତାଙ୍କ କ୍ୟାରିୟରକୁ ନଷ୍ଟ କରିଥିବା ଅନେକ କୁହନ୍ତି ।
‘‘ମୁଁ ମୋର ଅବସର ଘୋଷଣା କରିବା ପରେ ମଧ୍ୟ ଏହା କହିଥିଲି। ଯେଉଁମାନେ ଗ୍ରେଗ ଚାପେଲ ମତେ ଅଲରାଉଣ୍ଡର ଭାବେ ତିନି ନମ୍ବରରେ ପଠାଇ ମୋ କ୍ୟାରିୟରକୁ ନଷ୍ଟ କରିଥିବା କୁହନ୍ତି, ତାଙ୍କୁ ମୁଁ କହି ରଖେ ଯେ ପ୍ରକୃତରେ ଏହା ସଚିନ ପାଜିଙ୍କ ଆଇଡିଆ ଥିଲା।’’ ପଠାନ ତାଙ୍କ ଇନଷ୍ଟାଗ୍ରାମରେ ରୌନକ କପୁରଙ୍କ ଦ୍ବାରା ଆୟୋଜିତ ବିୟଣ୍ଡ ଦ ଫିଲ୍ଡରେ କହିଛନ୍ତି।
‘‘ସେ ରାହୁଲ ଦ୍ରାବିଡଙ୍କୁ ମତେ 3 ନମ୍ବରରେ ପଠାଇବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ସେ (ଇରଫାନ) ଛକା ମାରିବାର କ୍ଷମତା ରଖିଛନ୍ତି, ନୂଆ ବଲରେ ଭଲ ଖେଳି ପାରିବେ ଏବଂ ଦ୍ରୁତ ବୋଲରଙ୍କୁ ମଧ୍ୟ ଖେଳି ପାରିବେ।’’
‘‘ଶ୍ରୀଲଙ୍କା ବିପକ୍ଷ ସିରିଜରେ ଏହା ପ୍ରଥମ ଥର ପାଇଁ ପ୍ରୟୋଗ କରାଯାଇଥିଲା ଯେତେବେଳେ ମୁରଲୀଧରନ ତାଙ୍କ ପ୍ରଦର୍ଶନର ଶୀର୍ଷରେ ଥିଲେ, ଏବଂ ତାଙ୍କୁ ମଧ୍ୟ ଆକ୍ରମଣ କରିବା ପାଇଁ ଏହି ଯୋଜନା ଥିଲା।’’
‘‘ବ୍ୟାଟ୍ସମ୍ୟାନ ମାନେ ଏହାକୁ ଭଲ ଭାବରେ ବୁଝିପାରିଲେ ନାହିଁ, ତେଣୁ ବିଶ୍ବାସ ଥିଲା ଯଦି ମୁଁ ଏହାକୁ ଟାଣି ନେଇ ପାରିବି, ଏହା ଆମ ସପକ୍ଷରେ କାମ କରିପାରେ, ବିଶେଷ କରି ଏହା ସିରିଜର ପ୍ରଥମ ମ୍ୟାଚ ହୋଇଥିବାରୁ । ଏହା ସତ୍ୟ ନୁହେଁ ଯେ ଗ୍ରେଗ ଚାପେଲ ମୋ କ୍ୟାରିଅରକୁ ନଷ୍ଟ କରିଦେଇଛନ୍ତି। ସେ ଭାରତର ନୁହଁନ୍ତି, ତାଙ୍କୁ ଏକ ଦୋଷ ଦେବା ସହଜ ।’’
2003ରେ ଅନ୍ତର୍ଜାତୀୟ ଡେବ୍ୟୁ କରିବା ପରେ ପଠାନ ଶୀଘ୍ର ଦୁନିଆର ଅନ୍ୟତମ ଦକ୍ଷ ଯୁବ ଦ୍ରୁତ ବୋଲର ଭାବରେ ପରିଚିତ ହେଲେ । ମହମ୍ମଦ ଶାମି ତାଙ୍କ ରେକର୍ଡ ଭାଙ୍ଗିବା ପୂର୍ବରୁ ସେ 13ବର୍ଷ ପାଇଁ 100ଟି ଦିନିକିଆ ୱିକେଟ ନେଇଥିବା ଦ୍ରୁତତମ ଭାରତୀୟ ହୋଇଥିଲେ।
ତାଙ୍କ ନାମରେ 100ଟି ଟେଷ୍ଟ ୱିକେଟ ଅଛି ଏବଂ ଖେଳର ଲମ୍ବା ଫର୍ମାଟରେ ହ୍ୟାଟ୍ରିକ ନେଇଥିବା ଦ୍ବିତୀୟ ଭାରତୀୟ ବୋଲର ମଧ୍ୟ ପଠାନ । ଅବଶ୍ୟ, ସେ ଶେଷରେ ନିଜର ସ୍ଥାନ ହରାଇଲେ, ତାଙ୍କର ଶେଷ ଟେଷ୍ଟ 2008ରେ ଥିଲା ଏବଂ 2012ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-20ରେ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ ଥିଲା ।
@IANS