ନୂଆଦିଲ୍ଲୀ: ଧୋନି ତାଙ୍କ ଶାନ୍ତ ବା କୁଲ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ । ସେ ଯେତେ ଚାପଯୁକ୍ତ ପରିସ୍ଥିତି ହେଉ ବିଚଳିତ ହୁଅନ୍ତି ନାହିଁ ବୋଲି ତାଙ୍କ ସାଥୀ ଖେଳାଳିଙ୍କ ସହ ଅନ୍ୟ ମାନେ ମଧ୍ୟ କହନ୍ତି । ତେଣୁ ସେ ‘କ୍ୟାପ୍ଟେନ କୁଲ’ର ଟ୍ୟାଗ ମଧ୍ୟ ପାଇଥିଲେ । ତାଙ୍କ ଅଧିନାୟକତ୍ବ ଦିନରେ ଏହି ୱିକେଟ୍ କିପର-ବ୍ୟାଟ୍ସମ୍ୟାନ କଠିନ ପରିସ୍ଥିତିରେ ଶାନ୍ତ ରହିବା ସହ ଅନେକ ଦକ୍ଷ ନିଷ୍ପତ୍ତି ମଧ୍ୟ ନେଇଥିଲେ ଯାହା ପ୍ରକୃତରେ ତାଙ୍କ ଦଳକୁ ମ୍ୟାଚ ଜିତିବାରେ ସାହାଯ୍ୟ କରିଥିଲା । ଧୋନି ହିଁ 2007 ରେ ପାକିସ୍ତାନ ବିପକ୍ଷ ଟି-20 ବିଶ୍ବକପ ଫାଇନାଲରେ ଯୋଗିନ୍ଦର ଶର୍ମାଙ୍କୁ ଫାଇନାଲ ଓଭର ବୋଲିଂ କରିବାକୁ ଦେଇଥିଲେ । ତେନ୍ଦୁଲକରଙ୍କ ପରାମର୍ଶ କ୍ରମେ ଧୋନି ହିଁ 2011ରେ ଶ୍ରୀଲଙ୍କା ବିପକ୍ଷ 50 ଓଭର ବିଶ୍ବକପ ଫାଇନାଲରେ ବ୍ୟାଟିଂ କ୍ରମରେ ନିଜକୁ ଉପରକୁ ଆଣିବାକୁ ନିଷ୍ପତ୍ତି ନେଇଥିଲେ । 2013 ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ ରୋହିତ ଶର୍ମାଙ୍କୁ ଓପନର ଭାବରେ ପଦୋନ୍ନତି ଦେବା ମଧ୍ୟ ଧୋନିଙ୍କର ନିଷ୍ପତ୍ତି ଥିଲା।
ଏହିପରି ଅପ୍ରତ୍ୟାଶିତ ନିଷ୍ପତ୍ତି ଟିମ ଇଣ୍ଡିଆକୁ ସାହାଯ୍ୟ କଲା ଏବଂ ଧୋନି ତାଙ୍କ ଦଳ ପାଇଁ ଅଧିନାୟକତ୍ବ ସମୟରେ ତିନୋଟି ଆଇସିସି ଟ୍ରଫି ଆଣି ଦେଇଥିଲେ । ତେବେ ଅନେକ ଥର ଫ୍ୟାନ୍ସ ପ୍ରଶ୍ନ କରନ୍ତି ଯେ ଧୋନି ମ୍ୟାଚ ସମୟରେ ଉତ୍ତେଜିତ ହୁଅନ୍ତି କି ? ତେବେ ଏକ ଚାଟ ସୋରେ କଥା ହେବାବେଳେ ଇରଫାନ ପଠାନ ଏପରି ଏକ ଘଟଣାକୁ ମନେ ପକାଇଲେ ଯେତେବେଳେ ଧୋନି 2007ରେ ଏକ ୱାର୍ମ ଅପ ମ୍ୟାଚ ବେଳେ ଆଉଟ ହେବା ପରେ ଖୁବ ରାଗିଯାଇ ଥିଲେ ।
“ଏହା 2006-07 ମସିହାର ଘଟଣା। ୱାର୍ମ ଅପ ସମୟରେ ଆମର ଏକ ମ୍ୟାଚ ଥିଲା ଯେଉଁଥିରେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ବାମ ହାତରେ ବ୍ୟାଟିଂ କରିବେ ଏବଂ ବାମହାତୀ ବ୍ୟାଟ୍ସମ୍ୟାନ ଡାହାଣ ହାତରେ । ଆମେ ୱାର୍ମ ଅପ ସମାପ୍ତ କରିବା ପରେ, ଆମର ଅଭ୍ୟାସରେ କରୁଥିଲୁ,” ବୋଲି ଇରଫାନ ମନେ ପକାଇଲେ । “ତେବେ ୱାର୍ମ ଅପ୍ ସମୟରେ ଦୁଇଟି ଦଳ ରହିଥିଲେ । ଥରେ ଏମଏସ ଧୋନି ବ୍ୟାଟିଂ କଲାବେଳେ ତାଙ୍କୁ ଆଉଟ ଦିଆଗଲା ଯାହା ସେ ଆଉଟ ବୋଲି ଭାବୁ ନଥିଲେ । ତାପରେ ସେ ରାଗରେ ନିଜ ବ୍ୟାଟ ଫିଙ୍ଗି ଡ୍ରେସିଂ ରୁମକୁ ଚାଲି ଯାଇଥିଲେ । ଅଭ୍ୟାସ ପାଇଁ ବିଳମ୍ବରେ ଆସିଥିଲେ । ତେଣୁ ସେ ମଧ୍ୟ ରାଗନ୍ତି,’’ ବୋଲି ପଠାନ୍ କହିଛନ୍ତି ।
ଭାରତ ପାଇଁ ତିନୋଟି ଆଇସିସି ଟ୍ରଫି ଜିତିବା ସହ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଭାବରେ ତିନିଟି ଆଇପିଏଲ ଟ୍ରଫି ମଧ୍ୟ ଜିତିଛନ୍ତି । ଗତ ବର୍ଷ 50 ଓଭର ବିଶ୍ବକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିବା ଭାରତର ବିଶ୍ବକପ ଅଭିଯାନର ସମାପ୍ତି ହୋଇଥିଲା । ଯାହାପରେ ଧୋନି କ୍ରିକେଟ୍ ଠାରୁ ଦୂରରେ ରହିଛନ୍ତି । ସେ ଚଳିତ ବର୍ଷ ଆଇପିଏଲରେ ସିଏସକେ ପାଇଁ ଖେଳିବାକୁ ଫେରିବେ ବୋଲି ଆଶା କରାଯାଉଥିଲା, କିନ୍ତୁ କୋରୋନା ମହାମାରୀ କାରଣରୁ ଆଇପିଏଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି ।