ଦୁବାଇ: ଚଳିତ ସଂସ୍କରଣର 14ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ ସୁପର କିଙ୍ଗ୍ସ । ଉଭୟ ଲିଗ୍ର 4ର୍ଥ ମ୍ୟାଚ ଖେଳିବେ । ଚେନ୍ନାଇ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ଥିବାବେଳେ ହାଇଦ୍ରାବାଦ 7ମ ସ୍ଥାନରେ ରହିଛି । ଦୁବାଇ ଗ୍ରାଉଣ୍ଡରେ ଉଭୟ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।
ଚେନ୍ନାଇ ଆଇପିଏଲର ଉଦ୍ଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ମାତ୍ ଦେଇଥିଲା । ଏହାପରେ ବାକି 2ଟି ମ୍ୟାଚରେ ପରାଜିତ ହୋଇଛି । ତେବେ ଦଳକୁ ପୁରୁଣା ଫର୍ମରେ ଫେରିବା ପାଇଁ ଚେନ୍ନାଇର ଖେଳାଳିଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡିବ । ଏଯାଏଁ କେବଳ ଫାଫ ଡୁ ପ୍ଲେସିସ୍ ହିଁ ଟିମ ପାଇଁ ରନ କରୁଛନ୍ତି । ତାଙ୍କ ବ୍ୟତୀତ ଆଉ କାହାର ବ୍ୟାଟିଂରୁ ରନ ଆସି ନାହିଁ । ଅମ୍ବାତି ରାୟିଡୁ ପ୍ରଥମ ମ୍ୟାଚରେ ଟିମକୁ ବିଜୟ ହାସଲ କରିବାରେ ମୁଖ୍ୟ ଭୂମିକା ତୁଲାଇ ଥିଲେ, କିନ୍ତୁ ଆହତ କାରଣରୁ ସେ ବାକି 2ଟି ମ୍ୟାଚରୁ ବାଦ୍ ପଡିଛନ୍ତି । ରାୟିଡୁ ଯଦି ଆଜିର ମ୍ୟାଚରେ ସାମିଲ ହେବେ ତେବେ ଦଳକୁ ଶକ୍ତି ମିଳିବ । ଅନ୍ୟପଟେ ତାଙ୍କ ସ୍ଥାନରେ ଖେଳୁଥିବା ଋତୁରାଜ ଗାଇକୱାଡ ଭଲ ପ୍ରଦର୍ଶନ କରି ପାରି ନାହାଁନ୍ତି । ଧୋନି ବ୍ୟାଟିଂ ପାଇଁ ତଳକ୍ରମରେ ଆସୁଛନ୍ତି , ସେଥିଲାଗି ଧୋନିଙ୍କ ଆଲୋଚନା ମଧ୍ୟ କରାଯାଉଛି । ଟିମର ବ୍ୟାଟିଂକୁ ଦେଖିଲେ ଅନୁଭବୀ ଖେଳାଳି ଧୋନିଙ୍କୁ ଆରମ୍ଭରୁ ଆସି ବ୍ୟାଟିଂ ଭାର ସମ୍ଭାଳିବାର ଆବଶ୍ୟକତା ରହିଛି । ତେବେ ହାଇଦ୍ରାବାଦ ବିପକ୍ଷରେ ଧୋନି କେଉଁ ସ୍ଥାନରେ ଆସୁଛନ୍ତି ସମସ୍ତଙ୍କ ନଜର ରହିବ । ଏଥିସହ ଶେନ ୱାଟସନ ଫର୍ମକୁ ଆସି ସାଥୀ ଓପନର ମୁରଲୀ ବିଜୟଙ୍କ ସହ ଭଲ ପାର୍ଟନରସିପ ଇଂନିସ ଖେଳିବାକୁ ପଡିବ ।
ବୋଲିଂକୁ ଦେଖିଲେ ଦୀପକ ଚହର,ସାମ କୁରାନ, ଜୋସ ହେସଲଉୁଡ ଫର୍ମରେ ଅଛନ୍ତି । କିନ୍ତୁ ସ୍ପିନରଙ୍କ ମଧ୍ୟରେ ରବିନ୍ଦ୍ର ଜାଡେଜା ଓ ପୀୟୁଷ ଚାୱଲା ଭଲ ଫର୍ମରେ ନଜର ଆସି ନାହାଁନ୍ତି ।
ଆଜିର ମ୍ୟାଚରେ ହାଇଦ୍ରାବାଦ ଦଳ ଆତ୍ମବିଶ୍ବାସରେ ଭରପୂର ରହିବେ । କାରଣ ପୂର୍ବ ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀ କ୍ୟାପିଟାଲ୍ସକୁ ମାତ୍ ଦେଇ ଏହି ଲିଗ୍ରେ ପ୍ରଥମ ବିଜୟ ହାସଲ କରିଛି । ଦିଲ୍ଲୀ ବିପକ୍ଷରେ ବୋଲରମାନେ ବେଶ୍ ଭଲ ପ୍ରଦର୍ଶନ କରି ଟିମକୁ ବିଜୟ ସ୍ବାଦ ଚଖାଇଥିଲେ । ଅନ୍ୟପଟେ ହାଇଦ୍ରାବାଦ ଦଳକୁ ବ୍ୟାଟ୍ସମ୍ୟାନଙ୍କ ପ୍ରତି ଧ୍ୟାନ ଦେବାକୁ ପଡିବ । କେନ୍ ଓ୍ବିଲିୟମସନ୍ ଦିଲ୍ଲୀ ମ୍ୟାଚରେ ସାମିଲ ହୋଇ 41ରନର ପାଳି ଖେଳିଥିଲେ ,ତାଙ୍କ ସହ ଓ୍ବାର୍ଣ୍ଣର,ବେୟରଷ୍ଟୋ, ମନିଷ ପାଣ୍ଡେ ଟିମର ବ୍ୟାଟିଂ ଭାର ସମ୍ଭାଳିଥିଲେ । ଏହି 4 ଖେଳାଳିଙ୍କୁ ଛାଡିଦେଲେ ତଳକ୍ରମରେ ଏପରି ବ୍ୟାଟ୍ସମ୍ୟାନ ନାହାଁନ୍ତି, ଯିଏ ଦ୍ରୁତଗତିରେ ରନ୍ ସଂଗ୍ରହ କରି ପାରିବ । ଟିମକୁ ଏକ ଫିନିସରର ଆବଶ୍ୟକତା ରହିଛି ।
ଉଭୟଙ୍କ ମଧ୍ଯରେ ହେଡ ଟୁ ହେଡ ମ୍ୟାଚ ଦେଖିଲେ ମୋଟ 12ଟି ମ୍ୟାଚ ଖେଳାଯାଇଛି । 9ଟି ମ୍ୟାଚରେ ଚେନ୍ନାଇ ବାଜିମାତ୍ ମାରିଥିବା ବେଳେ କେବଳ 3ଟି ମ୍ୟାଚରେ ହାଇଦ୍ରାବାଦ ବିଜୟ ହାସଲ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ