କଟକ: ବାରବାଟୀ ଦିନିକିଆରେ ବାଜିମାତ କରିଛି ଟିମ ଇଣ୍ଡିଆ । 316 ରନର ବିଜୟ ଲକ୍ଷ୍ୟକୁ ସଫଳତାର ସହ ହାସଲ କରିଛି ବିରାଟ ବାହିନୀ। ପ୍ରଥମ 2ଟି ମ୍ୟାଚରେ ଉଭୟ ଭାରତ ଓ ୱେଷ୍ଟଇଣ୍ଡିଜ ଗୋଟିଏ ଲେଖାଏଁ ମ୍ୟାଚ ଜିତି ବରାବର ସ୍ଥିତିରେ ଥିଲେ। 3ୟ ଦିନିକିଆକୁ 5 ୱିକେଟରେ ଜିତି ସିରିଜ କବଜା କରିନେଇଛି ଭାରତ। ଫଳରେ ୱେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ 10ମ ଦ୍ବିପାକ୍ଷିକ ସିରିଜରେ ବିଜୟୀ ହୋଇଛି ଟିମ ଇଣ୍ଡିଆ। ରୋମାଞ୍ଚକର ମୁକାବିଲାରେ ଭାରତର ଜବରଦସ୍ତ ପ୍ରଦର୍ଶନକୁ ବାରବାଟୀ ଦର୍ଶକ ବେଶ ଉପଭୋଗ କରିଛନ୍ତି।
ଗତ ମ୍ୟାଚରେ ଶତକ ହାସଲ କରିଥିବା 2 ଓପନର ବିଶାଖାପଟ୍ଟନମରେ ଯେଉଁଠି ଇଂନିସ ଶେଷ କରିଥିଲେ ବାରବାଟୀରେ ସେଠାରୁ ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ଦମଦାର ଶତକୀୟ ପାର୍ଟନରସିପ ହୋଇଥିଲା। ରୋହିତ ଶର୍ମା 63 ବଲରୁ 8ଚୌକା ଓ ଗୋଟିଏ ଛକା ସହ 63 ରନର ଇଂନିସ ଖେଳି ଆଉଟ ହୋଇଥିଲେ। ପରେ ରାହୁଲ କ୍ୟାପଟେନ କୋହଲିଙ୍କ ସହ ମିଶି ଭାରତର ସ୍କୋରକୁ ଆଗକୁ ବଢାଇଥିଲେ। ରାହୁଲ 89 ବଲରୁ 8ଚୌକା ଗୋଟିଏ ଛକା ସହ 77 ରନ କରି ଆଉଟ ହୋଇଥିଲେ ।
ପରେ ଶ୍ରେୟସ ଆୟର, ଋଷଭ ପନ୍ତ ଓ କେଦାର ଯାଦବଙ୍କ ୱିକେଟ ନିୟମିତ ବ୍ୟବଧାନରେ ହରାଇ, ସଙ୍କଟରେ ପଡିଥିଲା ଭାରତ। କ୍ୟାପଟେନ କୋହଲି ସାର ଜାଡେଜାଙ୍କ ସହ ମିଶି ଭାରତକୁ ବିଜୟ ଆଡକୁ ନେଇଥିଲେ। କୋହଲି 81 ବଲରେ 85 ରନର ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ। ବିଜୟକୁ ମାତ୍ର 30 ରନ ଥିବାବେଳେ କୋହଲି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଆଉଟ ହୋଇଥିଲେ ।
ପରେ ରବିନ୍ଦ୍ର ଜାଡେଜା ଓ ଶାର୍ଦ୍ଦୁଳ ଠାକୁର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଭାରତକୁ ବିଜୟୀ କରାଇଥିଲେ । ଜାଡେଜା 30 ବଲରେ 39 ରନର ମ୍ୟାଚ ବିଜୟୀ ଅପରାଜିତ ଇଂନିସ ଖେଳିଥିଲେ।
ୱେଷ୍ଟଇଣ୍ଡିଜ ପକ୍ଷରୁ ନିକୋଲାସ ପୋରନ ସର୍ବାଧିକ 89 ରନର ଉପଯୋଗୀ ଇଂନିସ ଖେଳିଥିଲେ। ପୋରନଙ୍କ ଏହି ବିସ୍କୋରକ ଇଂନିସରେ 2ଟି ଚୌକା ଓ 4ଟି ଛକା ସାମିଲ ରହିଥିଲା। କ୍ୟାପଟେନ ପୋଲାର୍ଡ ଅର୍ଦ୍ଧଶତକୀୟ ଇଂନିସ ଖେଳି ଇଣ୍ଡିଜର ସ୍କୋର 300 ପାର କରାଇଥିଲେ। ପୋଲାର୍ଡ 51ବଲରୁ 3 ଚୌକା ଓ 7 ଛକା ସହୟତାରେ 74 ରନର ଇଂନିସ ଖେଳିଥିଲେ। ସିମ୍ରନ ହେଟମେୟର 37, ରୋଷ୍ଟନ ଚେଜ 38 ଓ ଓପନର ସାଇ ହୋପ 42 ରନର ଇଂନିସ ଖେଳିଥିଲେ।
ଭାରତ ପକ୍ଷରୁ ଡେବ୍ୟୁମ୍ୟାନ ନବଦୀପ ସାଇନି 2ଟି ୱିକେଟ ଅକ୍ତିଆର କରିଥିଲେ। ସାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି ଓ ସ୍ପିନର ରବିନ୍ଦ୍ର ଜାଡେଜାଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ