ବେଙ୍ଗାଲୁରୁ: ସଣ୍ଡେ ସୁପର ଫାଇଟରେ ନିର୍ଣ୍ଣାୟକ ଲଢେଇ । ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜ ଡିସାଇଡର ମ୍ୟାଚ । ସିରିଜ 1-1ରେ ବରାବର ରହିଛି । ଫଳରେ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏଭଳି ପରିସ୍ଥିତରେ ଆହତ ଘରୋଇ ଦଳକୁ ଭେଟିବ ପରାଜୟ ଜ୍ବାଳାରେ ଜଳୁଥିବା ଭ୍ରମଣକାରୀ କଙ୍ଗାରୁ ଦଳ ।
ସ୍ଥାନୀୟ ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ତେବେ ଏହି ଷ୍ଟାଡିମୟରେ ଭାରତର ରେକର୍ଡ ସେତେଟା ଖାସ ରହିନି । ଦଳ ଖେଳିଥିବା 7ଟି ଦିନିକିଆ ମ୍ୟାଚରୁ ମାତ୍ର 4ଟି ମ୍ୟାଚରେ ବିଜୟ ହୋଇଛି । ସେହିପରି ବାକି ପରାସ୍ତ ହୋଇଥିବା 3ଟି ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିଛି ଭାରତ । ମାତ୍ର ରନ ବର୍ଷା ଷ୍ଟାଡିୟମର ପ୍ରକୃତି ରହିଆସିଛି । ଖେଳା ଯାଇଥିବା ପ୍ରତି ଦିନିକିଆ ମ୍ୟାଚରେ 300 ପ୍ଲସ ସ୍କୋର ହୋଇଛି । ଫଳରେ ଆସନ୍ତାକାଲି ଦର୍ଶକ ହାଇସ୍କୋରିଂ ମ୍ୟାଚ୍ ଦେଖିବାର ଆଶା ରହିଛି ।
ସେପଟେ ହାଇ ସ୍କୋରିଂ ମ୍ୟାଚ ପାଇଁ ଅପେକ୍ଷା ଥିବା ବେଳେ ଆହତ ଅଛନ୍ତି ଭାରତୀୟ ଖେଳାଳି । ଘରୋଇ ଦଳର ଦୁଇ ଓପନର ରୋହିତ-ଶିଖର ଆହତ ହେବା ପରେ ଏବେ ଦଳର ଚିନ୍ତା ବଢି ଯାଇଛି । ରବିବାର ମ୍ୟାଚରେ ଦୁଇ ଓପନର ଖେଳି ନପାରନ୍ତି, ୱିକେଟ କିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କ ସହ ଓପନିଂ କରିବାକୁ ଆସି ପାରନ୍ତି ଅଧିନାୟକ କୋହଲି ।