ନୂଆଦିଲ୍ଲୀ: ଚଳିତ ଆଇସିସି ମହିଳା ଟି-20 ବିଶ୍ବକପରେ ପ୍ରଭାବୀ ପ୍ରଦର୍ଶନ କରିଛି ଭାରତୀୟ ଦଳ । ଇଂଲଣ୍ଡ ସହ ସେମିଫାଇନାଲରେ ମୁହାଁମୁହିଁ ହେବ ହରମନପ୍ରିତଙ୍କ ଦଳ । ତେବେ ଏହି ମ୍ୟାଚକୁ ନେଇ ଭେଟେରାନ ମହିଳା କ୍ରିକେଟର ଝୁଲଣ ଗୋସ୍ବାମୀଙ୍କ ବଡ ବୟାନ । ଝୁଲଣ କହିଛନ୍ତି ଭାରତ ଆକ୍ରମଣାତ୍ମକ ରଣନୀତି ସହ ଖେଳିବା ଜରୁରୀ ।
ନକ ଆଉଟ ମ୍ୟାଚ ହୋଇଥିବାରୁ ବିଜୟୀ ଦଳ ଫାଇନାଲ ଓ ପରାଜୟ ଦଳ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ । ଅନ୍ୟପଟେ ଇଂଲଣ୍ଡକୁ ପ୍ରଥମ ଥର ଚଳିତ ବିଶ୍ବକପରେ ଭେଟିବ ଭାରତୀୟ ଦଳ । 2017 ମହିଳା ଦିନିକିଆ ବିଶ୍ବକପ ଫାଇନାଲରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ 9 ରନରେ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା ଇଂଲଣ୍ଡ ।
ଏକ ନିଶ୍ଚିନ୍ତ ବିଜୟ ସହ ଚମ୍ପିଆନ ଆଖ୍ୟାରୁ ଅଳ୍ପକେ ବଞ୍ଚିତ ହୋଇଥିଲା ଭାରତ । 228 ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଭାରତୀୟ ଦଳ 219 ରନରେ ଅଟକିଯାଇଥିଲା । ଏହିକୁ ଦୃଷ୍ଟିରେ ରଖି ଭେଟେରାନ ଝୁଲଣ ଗୋସ୍ବାମୀ ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଆକ୍ରମଣାତ୍ମକ ଖେଳିବାକୁ କହିଥିବା କୁହାଯାଉଛି ।