କଟକ: ବାରବାଟୀ ଷ୍ଟାଡିୟମ ପାଇଛି ଏକ ନୂଆ ଲୁକ । ଯାହାର କାରଣ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ । ଗତବର୍ଷ ଡିସେମ୍ବର 22ରେ ହୋଇଥିବା ଏହି ନିର୍ଣ୍ଣାୟକ ମ୍ୟାଚ ବାରବାଟୀକୁ ପ୍ରଦାନ କରିଥିଲା ଏକ ନୂଆ ଚେହେରା । ଯାହାକୁ ନେଇ ଆଜିବି ଚମକୁଛି ବାରବାଟୀ ଷ୍ଟାଡିୟମ ।
ଖଣ୍ଡ ବିଖଣ୍ଡ ହୋଇ ପଡିଥିଲା ଫ୍ଲଡ ଲାଇଟ । ଜରାଜୀର୍ଣ୍ଣ ଅବସ୍ଥାରେ ଥିଲା ଗ୍ୟାଲେରି, ପ୍ରେସ ବକ୍ସ ଓ ପାଭିଲିଅନ । ଫନି ବାତ୍ୟା ପରେ ସତେ ଯେମିତି ଶ୍ମଶାନ ପଲାଟି ଯାଇଥିଲା ଗ୍ରାଉଣ୍ଡ । ଆମେ କହୁଛୁ ଓଡିଶାରେ ଥିବା ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ବାରବାଟୀର କଥା । ଏ ଦୃଶ୍ୟ 2019 ଡିସେମ୍ବର 22 ପୂର୍ବର । ଆଉ ଏ ଡିସେମ୍ବର 22 ପରର । ତେବେ ଗତ ବର୍ଷ ଡିସେମ୍ବରରେ ବାରବାଟୀ ଗ୍ରାଉଣ୍ଡରେ ଖେଳାଯାଇଥିଲା ଇଣ୍ଡିଆ- ୱେଷ୍ଟଇଣ୍ଡିଜ୍ ଦିନିକିଆ ସିରିଜର ଅନ୍ତିମ ମ୍ୟାଚ । ଆଉ ଏହି ଅନ୍ତର୍ଜାତୀୟ ମ୍ୟାଚ ବଦଳାଇ ଦେଇଥିଲା ବାରାବାଟୀ ଷ୍ଟାଡିୟମର ରୂପରେଖ । ବାରବାଟୀ ଫେରିପାଇଥିଲା ତାର ପୁରୁଣା ଚେହେରା । ପୁଣିଥରେ ହସି ଉଠିଲା କଟକର ଏହି ଗୌରବ ।
ତେବେ ଦୀର୍ଘ ଅଢେଇ ବର୍ଷ ପରେ ଓଡିଶା ଫେରିଥିବା କୌଣସି ଅନ୍ତର୍ଜାତୀୟ ମ୍ୟାଚ । କିନ୍ତୁ ଷ୍ଟାଡିୟମର ଅବସ୍ଥା ଦେଖି ଲାଗୁଥିଲା ମ୍ୟାଚ ସମ୍ଭବ ପର ନୂହେଁ । ମାତ୍ର ଏହାକୁ ଭୂଲ ବୋଲି ପ୍ରମାଣିତ କଲେ ଓଡିଶା କ୍ରିକେଟ ଆସୋସିଏସନର ନବ ନିର୍ବାଚିତ ସଦସ୍ୟ । ବିସିସିଆଇଠାରୁ ମିଳିଥିବା 9 କୋଟି ସହାୟତା ରାଶିରେ ଆରମ୍ଭ ହେଲା ଷ୍ଟାଡିୟମର ମରାମତି କାମ । ଯୁଦ୍ଧକାଳୀନ ଭିତ୍ତିରେ କାମ ଶେଷ ହୋଇ ମ୍ୟାଚ ପାଇଁ ରେଡି ହୋଇଗଲା ବାରବାଟୀ ।
ଦିନିକିଆ ମ୍ୟାଚର ସଫଳ ଆୟୋଜନ ପରେ ଏବେ ଓସିଏର ନଜର ଡେ/ନାଇଟ୍ ଟେଷ୍ଟ ମ୍ୟାଚ ଉପରେ । ଯଦି ଇଂଲଣ୍ଡର ଆଗାମୀ ଭାରତ ଗସ୍ତର ପିଙ୍କ ବଲ ଟେଷ୍ଟ ମ୍ୟାଚ ବାରବାଟୀ ଆୟୋଜନ ହୁଏ, ତେବେ ଭାରତୀୟ କ୍ରିକେଟ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ପାଇବ ବାରବାଟୀ ଗ୍ରାଉଣ୍ଡ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ