ନୂଆଦିଲ୍ଲୀ: 2007 ଟି-20 ବିଶ୍ବକପରେ ଇଂଲଣ୍ଡ ଅଲରାଉଣ୍ଡର ଆଣ୍ଡ୍ରିୟୁ ଫ୍ଳିଣ୍ଟଫ, ଯୁବରାଜ ସିଂହଙ୍କୁ ଚିଡାଇବା ମହଙ୍ଗା ପଡିଥିଲା । ଫ୍ଳିଣ୍ଟଫଙ୍କ ରାଗ ଷ୍ଟୁଆର୍ଟ ବ୍ରଡଙ୍କ ଉପରେ ସୁଝାଇଥିଲେ ଯୁବରାଜ । ଲଗାତାର ବ୍ରଡଙ୍କୁ 6ଟି ବଲରେ 6ଟି ଛକା ମାରି ଫ୍ଳିଣ୍ଟଫଙ୍କ ସମେତ ଇଂଲଣ୍ଡ ଟିମକୁ ବ୍ୟାଟିରେ ଜବାବ ଦେଇଥିଲେ ଟିମ ଇଣ୍ଡିଆର ଭେଟେରାନ ଅଲରାଉଣ୍ଡର ।
ବୋଲିଂ ବେଳେ ଫ୍ଳିଣ୍ଟଫ କହିଥିଲେ ଗଳା କାଟିଦେବି । ଇଂଲଣ୍ଡର ପୂର୍ବତନ କ୍ୟାପଟେନ କେଭିନ ପିଟରସନଙ୍କ ଇନଷ୍ଟାଗ୍ରାମ ଚାଟରେ ଏନେଇ ଖୁଲାସା କରିଛନ୍ତି ଖୋଦ ଯୁବରାଜ ସିଂହ ।
ଘଟଣାର ଆରମ୍ଭ ଏହିପରି ହୋଇଥିଲା...ଫ୍ଳିଣ୍ଟଫ ବୋଲିଂ କରୁଥିଲେ ଓ ଯୁବରାଜ ତାଙ୍କୁ ସାମ୍ନା କରୁଥିଲେ । ଲଗାତାର 2ଟି ଘାତକ ୟର୍କର ବୋଲିଂ କରିଥିଲେ ଇଂଲଣ୍ଡ ଅଲରାଉଣ୍ଡର । ତେବେ ସେଥିରୁ ଗୋଟିଏକୁ ବାଉଣ୍ଡ୍ରୀ ବାହାରକୁ ଚୌକା ମାରିଥିଲେ ଯୁବରାଜ । ଏଥିରେ ରାଗିଯାଇ ଯୁବିଙ୍କ ସଟ୍ କୁ ନେଇ କଟୁଶବ୍ଦର ପ୍ରୟୋଗ କରିଥିଲେ ଫ୍ଳିଣ୍ଟଫ୍ । ପାଖକୁ ଆସି ଗଳାକାଟି ଦେବି ବୋଲି ମଧ୍ୟ କହିଥିଲେ । ଏହାର ଉତ୍ତରରେ ଯୁବରାଜ କହିଥଲେ, "ହାତରେ ବ୍ୟାଟ ଅଛି ଦେଖୁଛ,..ବ୍ୟାଟରେ ପିଟିବି ।"
ଏହି ଘଟଣାର ଠିକ ପରବର୍ତ୍ତୀ ଓଭର ବୋଲିଂ କରିବାକୁ ଆସିଥିଲେ ଷ୍ଟୁଆର୍ଡ ବ୍ରଡ । ଏହି ଓଭରରେ 6ଟି ବଲରେ ଲଗାତାର ଛଟି ଛକା ମାରି ବଦଲା ପୁରାକରିଥିଲେ । ପରେ 2007 ସଂସ୍କରଣର ଟି-20 ବିଶ୍ବକପରେ ମଧ୍ୟ ଭାରତ ଚମ୍ପିଆନ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ