ହାଇଦ୍ରାବାଦ: ମହାରାଷ୍ଟ୍ରରେ ବେକାବୁ ହେଉଛି କୋରାେନା ସ୍ଥିତି । ପ୍ରତିଦିନ ଦୈନିକ ସଂକ୍ରମଣରେ ରେକର୍ଡ କରୁଛି ରାଜ୍ୟ । ଏହାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ପ୍ରିମିୟର ଲିଗ(IPL) ଗଭର୍ଣ୍ଣିଂ କାଉନସିଲ୍ ମୁମ୍ବାଇରେ ଖେଳାଯିବାକୁ ଥିବା ମ୍ୟାଚ ଗୁଡିକୁ ଅନ୍ୟ ଭେନ୍ୟୁରେ କରାଇବାକୁ ବିଚାର କରୁଥିବା ସୂଚନା ମିଳିଛି । ଏଥିସହ ହାଇଦ୍ରାବାଦ ଓ ଇନ୍ଦୋରକୁ ଷ୍ଟାଣ୍ଡବାଏ ଭେନ୍ୟୁ ଭାବେ ରଖାଯାଇଛି ।
ୱାଙ୍ଖେଡେ ଷ୍ଟାଡିୟମର ଗ୍ରାଉଣ୍ଡ ଷ୍ଟାଫ କୋରୋନା ସଂକ୍ରମିତ ଜଣାପଡିବାପରେ, ମୁମ୍ବାଇରେ ଆଇପିଏଲ ମ୍ୟାଚ ଖେଳାଯିବା ନେଇ ଆଶଙ୍କା ଦେଖାଦେଇଛି । ମହାରାଷ୍ଟ୍ରରେ ପ୍ରତିଦିନ ରେକର୍ଡ ମାତ୍ରାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆଇପିଏଲ ଫ୍ରାଞ୍ଚାଇଜଙ୍କ ଚିନ୍ତା ବଢିଛି । ଏଥିସହ ଏପ୍ରିଲ 9ରୁ ଆରମ୍ଭ ହେବାନେଇ ସୂଚୀ ରହିଥିବା ଆଇପିଏଲର 14ତମ ସଂସ୍କରଣକୁ ନେଇ ମଧ୍ୟ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।
ୱାଙ୍ଖେଡେ ଷ୍ଟାଡିୟମରେ ଏପ୍ରିଲ 10ରୁ 25 ମଧ୍ୟରେ ଏହି ସଂସ୍କରଣର 10ଟି ଆଇପିଏଲ ମ୍ୟାଚ ଖେଳାଯିବା ନେଇ ସୂଚୀ ରହିଛି । ପ୍ରଥମ ମ୍ୟାଚ ଏପ୍ରିଲ 10ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ।
ବିସିସିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, "ସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି । କୋଭିଡ 19 ସଂଖ୍ୟା ନେଇ ପ୍ରତ୍ୟେକ ଭେନ୍ୟୁ ଉପରେ ନଜର ରଖିଛି ବୋର୍ଡ । ଏଯାବତ କୌଣସି ଆନୁଷ୍ଠାନିକ ନିଷ୍ପତ୍ତି ହୋଇନାହିଁ , ମାତ୍ର ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇଦ୍ରାବାଦ ଓ ଇନ୍ଦୋରକୁ ଅନ୍ୟ ବିକଳ୍ପ ଭେନ୍ୟୁ ଭାବେ ରଖାଯାଇଛି ।"
4ଟି ଫ୍ରାଞ୍ଜାଇଜ- ଦିଲ୍ଲୀ କ୍ୟାପିଟାଲ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମୁମ୍ବାଇରେ ଟିମ ହୋଟେଲରେ ରହିଛନ୍ତି ।
ତେବେ ଶୁକ୍ରବାର ମହାରାଷ୍ଟ୍ରରେ 47,827 ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ, 202ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିସହ ମୁମ୍ବାଇ ନୂଆ 8,832 ପଜଟିଭ ମାମଲା ସହ ଦୈନିକ ସର୍ବାଧିକ ସଂକ୍ରମଣ ରେକର୍ଡ କରିଛି । କ୍ରମାଗତ ଦ୍ବିତୀୟ ଦିନରେ 8,500ରୁ ଅଧିକ କେସ କେବଳ ମୁମ୍ବାଇରେ ସାମ୍ନାକୁ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ