ନୂଆଦିଲ୍ଲୀ: କୋଭିଡ ଟିକା ନେଲେ ଭାରତୀୟ କିମ୍ବଦନ୍ତୀ କ୍ରିକେଟର କପିଲ ଦେବ। ବୁଧବାର କୋଭିଡ ଟିକାର ପ୍ରଥମ ଡୋଜ ତାଙ୍କୁ ଦିଆଯାଇଛି। 62 ବର୍ଷୀୟ କପିଲ ଦେବ ଫୋର୍ଟସ୍ ହସ୍ପିଟାଲରେ ହୃଦରୋଗ ବିଭାଗ ନିର୍ଦ୍ଦେଶକ ଡଃ.ଅତୁଲ ମାଥୁରଙ୍କ ତତ୍ତ୍ବାବଧାନରେ ଟିକା ନେଇଛନ୍ତି।
ଗତବର୍ଷ କପିଲ ଦେବଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ଆଞ୍ଜିଓ ପ୍ଲାଷ୍ଟି ସର୍ଜରୀ କରାଯାଇଥିଲା। ଡାକ୍ତରଖାନାରେ ଦୁଇଦିନ ଡାକ୍ତରଙ୍କ ତତ୍ତ୍ବାବଧାନରେ ରହିବା ପରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କର ରକ୍ତ ବିଶୋଧନ ପ୍ରକ୍ରିୟା ଜାରି ରହିଛି ।
ଭାରତ ପକ୍ଷରୁ କପିଲ ଦେବ 131 ଟେଷ୍ଟ ଖେଳିଥିବାବେଳେ 225ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । 1983 ମସିହାରେ ବିଶ୍ବକପ ବିଜୟୀ ହୋଇଥିଲା ଭାରତ । କପିଲ ଦେବଙ୍କ ନେତୃତ୍ବରେ ଭାରତୀୟ ଦଳ ଏହି ଉପଲବ୍ଧି ହାସଲ କରିଥିଲା। ଏହି ଅଲରାଉଣ୍ଡର 5 ହଜାର 248 ରନ କରିଥିବା ବେଳେ 434 ୱିକେଟ ନେଇଛନ୍ତି ।
କପିଲ ଦେବଙ୍କ ପୂର୍ବରୁ ପୂର୍ବତନ କ୍ରିକେଟର ମଦନ ଲାଲ ମଧ୍ୟ କୋରୋନା ଟିକା ନେଇଛନ୍ତି। ସେ ମଧ୍ୟ 1983 ମସିହାରେ ବିଶ୍ବକପ ବିଜେତା ଦଳର ସଦସ୍ୟ ରହିଥିଲେ। ଏହାସହ ଭାରତୀୟ ଦଳର ମୁଖ୍ୟ କୋଚ 58 ବର୍ଷୀୟ ରବି ଶାସ୍ତ୍ରୀ ମଧ୍ୟ କୋଭିଡ ଟିକା ନେଇ ସାରିଛନ୍ତି। ଦ୍ବିତୀୟ ପର୍ଯାୟ କୋଭିଡ ଟିକାକରଣରେ 60 ବର୍ଷରୁ ଊର୍ଦ୍ଧ୍ବ ତଥା 45ରୁ 59 ବର୍ଷ ମଧ୍ୟରେ ଥିବା ବ୍ୟକ୍ତିତ୍ବଙ୍କୁ ଟିକାକରଣ କରାଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ