ନୂଆଦିଲ୍ଲୀ: ମିଳିତ ଜାତିସଙ୍ଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଷଣକୁ ସମାଲୋଚନା । ଇମ୍ରାନଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ । ତେବେ ଇମ୍ରାନ ଜଣେ କ୍ରିକେଟର ହୋଇଥିବାରୁ କ୍ରିକେଟ ଜଗତରୁ ତାଙ୍କୁ କଡା ସମାଲୋଚନା କରାଯାଉଛି ।
କୈଫ କହିଛନ୍ତି, "ପାକିସ୍ତାନ ଆତଙ୍କବାଦର ସ୍ବର୍ଗ । ଆତଙ୍କୀଙ୍କ ନିରାପଦ ସ୍ଥାନ । ସେଥିପାଇଁ ପାକିସ୍ତାନ କଥା ପ୍ରଥମେ ଚିନ୍ତା କରନ୍ତୁ ଇମ୍ରାନ ଖାନ । ମିଳିତ ଜାତିସଂଘ ଭଳି ମଞ୍ଚରେ ଗୋଟିଏ ଦେଶର ପ୍ରଧାନମନ୍ତ୍ରୀ ଏପରି ବକ୍ତବ୍ୟ ରଖିବା ଅତ୍ୟନ୍ତ ନିନ୍ଦନୀୟ" ।
ବର୍ତ୍ତମାନର ବିଶ୍ବ ସାମ୍ନାରେ ଆତଙ୍କବାଦ ସବୁଠୁ ବଡ ଆହ୍ବାନ । ସେଥିପାଇଁ ସମସ୍ତେ ଗୋଟିଏ ସ୍ବରରେ ଶାନ୍ତି ପାଇଁ ପ୍ରୟାସ କରୁଛନ୍ତି ଓ ଆତଙ୍କବାଦର ମୂଳତ୍ପାଟନ ପାଇଁ ସଙ୍କଳ୍ପ ନେଉଛନ୍ତି । ଏମିତି ସମୟରେ ଇମ୍ରାନଙ୍କ ଭାଷଣରେ ଧମକ, ପୁରମାଣୁ, ଆତଙ୍କବାଦର କଥା ଶୋଭା ପାଉନି ବୋଲି ମଧ୍ୟ କହିଛନ୍ତି କୈଫ । ଏଥିସହିତ ଇମ୍ରାନ ଖାନ ପାକିସ୍ତାନ ସେନା ଓ ଆତଙ୍କୀଙ୍କ ହାତର କଣ୍ଢେଇ ସାଜିଛନ୍ତି ବୋଲି କହିଛନ୍ତି ଟିମ ଇଣ୍ଡିଆର ଏହି ପୂର୍ବତନ କ୍ରିକେଟର।