ହାଇଦ୍ରାବାଦ: ଭାରତୀୟ ଦଳକୁ ପୁଣି ପ୍ରତ୍ୟାବର୍ତ୍ତନ କରିବେ ଭାରତୀୟ ଯୁବ ବ୍ୟାଟସମ୍ୟାନ ପୃଥ୍ବୀ ଶ'। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଭିଭିଏସ ଲକ୍ଷ୍ମଣ। ବିଜୟ ହଜାରେ ଟ୍ରଫିରେ ଦମଦାର ପ୍ରଦର୍ଶନ ସତ୍ତ୍ବେ ଇଂଲଣ୍ଡ ବିପକ୍ଷରେ ଦିନିକିଆ ଦଳରେ ପୃଥ୍ବୀ ଶ'ଙ୍କୁ ସ୍ଥାନ ମିଳି ପାରିନଥିଲା। ବିଜୟ ହଜାରେ ଟ୍ରଫିରେ 8ଟି ଇନିଂଶରେ ପୃଥ୍ବୀ ଶ' 8ଶହରୁ ଅଧିକ ରନ କରିଥିଲେ।
ଏକ ସାକ୍ଷାତକାରରେ ଭିଭିଏସ ଲକ୍ଷ୍ମଣ କହିଛନ୍ତି ଯେ, "ମୋତେ ଲାଗୁଛି ପୃଥ୍ବୀ ଶ'ଙ୍କୁ ନିଶ୍ଚିତ ଭାବରେ ଭାରତୀୟ ଦଳରେ ସ୍ଥାନ ମିଳିବ। ଜଣେ ଅଧିନାୟକ ଭାବରେ ପୃଥ୍ବୀ ଶ' ଯେଭଳି ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସନୀୟ। ତାଙ୍କ ବ୍ୟାଟିଂ ଯୋଗୁଁ ବିଜୟ ହାଜରେ ଟ୍ରଫି ଜିତି ପାରିଛି ମୁମ୍ବାଇ। ସେ ଦିନିକିଆ ଦଳରେ ସ୍ଥାନ ପାଇବା ଯୋଗ୍ୟ। କିନ୍ତୁ ବୋଧ ହୁଏ ଚୟନକର୍ତ୍ତା ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କ କିଛି ତାଲିକା କରିଛନ୍ତି। ଏହି ତାଲିକାରେ ପୃଥ୍ବୀ ଶ'ଙ୍କ ନାମ ବହୁ ପଛରେ ଥିବା ଭଳି ମନେ ହେଉଛି। କାରଣ ଅନ୍ତର୍ଜାତୀୟ କ୍ରିକେଟରେ ଶୁଭମନ ଗିଲ ଭଲ ପ୍ରଦର୍ଶନ କରିଛନ୍ତି।"
ଦଳରେ ବର୍ତ୍ତମାନ ଅଭିଜ୍ଞ ଖେଳାଳି କେଏଲ ରାହୁଲ ଓ ଶିଖର ଧୱନ ରହିଛନ୍ତି। ତାଙ୍କ ସହ ରୋହିତ ଶର୍ମା ମଧ୍ୟ ଦଳରେ ରହିଛନ୍ତି। ମୋଟାମୋଟି ଭାବରେ ଦେଖିବାକୁ ଗଲେ 3ରୁ 4ଜଣ ଓପେନିଂ ଖେଳାଲି ଦଳରେ ସାମିଲ ରହିଛନ୍ତି। ଏଭଳି ସ୍ଥିତିରେ ପୃଥ୍ବୀ ଶ'ଙ୍କୁ ଦଳରେ ସ୍ଥାନ ମିଳିବା କଷ୍ଟକର ଜଣା ପଡ଼ୁଛି। ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ ଦଳରେ ସେ ସାମିଲ ହୋଇଥିଲେ। ତେବେ ପ୍ରଥମ ମ୍ୟାଚରେ ବିଫଳ ହେବା ପରେ ତାଙ୍କୁ ଆଉ ସୁଯୋଗ ମିଳିନଥିଲା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ