ମେଲବର୍ଣ୍ଣ: କୋରୋନା ମହାମାରୀ ଯୋଗୁଁ ଷ୍ଟାଡିୟମ ମଧ୍ୟକୁ ଫ୍ୟାନ୍ସଙ୍କ ପ୍ରବେଶ ଉପର ଦୀର୍ଘ ସମୟ ଧରି କଟକଣା ଲାଗିଥିବା ବେଳେ ଏବେ ଅଷ୍ଟ୍ରେଲିଆ ବନାମ ନ୍ୟୁଜିଲାଣ୍ଡ ମହିଳା ସୀମିତ ଓଭର କ୍ରିକେଟ ସିରିଜରେ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ପ୍ରବେଶକୁ ମିଳିଛି ଅନୁମତି । ଏନେଇ ସୋମବାର ଅଷ୍ଟ୍ରେଲିଆ ସ୍ପଷ୍ଟ କରିଛି ।
26 ସେପ୍ଟେମ୍ବରରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମହିଳା ଦଳ ତିନୋଟି ଦିନିକିଆ ଓ ତିନୋଟି ଟି-20 ମ୍ୟାଚ ଖେଳିବେ ।
ଏକ ରିପୋର୍ଟରେ କୁହାଯାଇଛି ଯେ, ‘‘ସୀମିତ ସଂଖ୍ୟକ ଫ୍ୟାନ୍ସଙ୍କୁ ଆଲାନ ବୋର୍ଡର ଫିଲ୍ଡକୁ ଅନୁମତି ଦିଆଯିବ । ତେବେ ସର୍ବାଧିକ କେତେ ଜଣଙ୍କୁ ଅନୁମତି ଦିଆଯିବ ତାହା ବର୍ତ୍ତମାନର କୁଇନ୍ସଲ୍ୟାଣ୍ଡ ସ୍ବାସ୍ଥ୍ୟ ଏବଂ ସରକାରୀ ନିର୍ଦ୍ଦେଶାବଳୀ ଦ୍ବାରା ନିର୍ଣ୍ଣୟ କରାଯାଇଛି । ଯାହାଫଳରେ ଷ୍ଟାଡିୟମର କ୍ଷମତାର କେବଳ 50 ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ ।’’
‘‘ଗ୍ରାଉଣ୍ଡକୁ 6ଟି ଜୋନରେ ବିଭକ୍ତ କରାଯିବ । ନିଜ ଟିକେଟ ଅନୁସାରେ ହିଁ ଫ୍ୟାନ୍ସଙ୍କୁ ବସିବା ପାଇଁ ଅନୁମତି ମିଳିବ ,’’ ବୋଲି ରିପୋର୍ଟରେ କୁହାଯାଇଛି ।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଦର୍ଶକଙ୍କ ପାଇଁ ସର୍ବାଧିକ 6ଟି ଟିକେଟର ସୀମା ରହିବ ଏବଂ ମ୍ୟାଚରେ କୌଣସି ବକ୍ସ ଅଫିସରେ ବିକ୍ରୟ ହେବ ନାହିଁ । କେବଳ ମୋବାଇଲ ଟିକେଟ ଉପଲବ୍ଧ ହେବ, ଏବଂ ଯେତେବେଳେ ଜଣେ ବ୍ୟକ୍ତି ଟିକେଟ କିଣିବେ, କ୍ରିକେଟ ଅଷ୍ଟ୍ରେଲିଆ ସେହି ବ୍ୟକ୍ତିଙ୍କ ବିବରଣୀକୁ କୋଭିଡ-19 କଣ୍ଟାକ୍ଟ-ଟ୍ରେସିଂ ଉଦ୍ଦେଶ୍ୟରେ ରଖିବ ।
ଶେଷ ଅନ୍ତର୍ଜାତୀୟ କ୍ରିକେଟ ଯାହା ଦର୍ଶକଙ୍କ ଉପସ୍ଥିତି ଦେଖିଥିଲା, ତାହା ଥିଲା ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ମହିଳା ଟି-20 ବିଶ୍ବକପ ଫାଇନାଲ । ଏହି ମ୍ୟାଚରେ 80,000 ରୁ ଅଧିକ ଦର୍ଶକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡକୁ ଆସିଥିଲେ ।
@IANS