ବ୍ରିଷ୍ଟୋଲ୍: ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଏଠାରେ ଖେଳାଯାଇଛି। ମ୍ୟାଚରେ ଇଂଲଣ୍ଡ ୱିକେଟକିପର ବ୍ୟାଟ୍ସମ୍ୟାନ ଜନ୍ନି ବେୟାରଷ୍ଟୋଙ୍କ ଧୂଆଁଧାର ଶତକୀୟ ପାଳି ବଳରେ 6 ୱିକେଟରେ ପାକିସ୍ତାନକୁ ମାତ୍ ଦେଇଛି ଇଂଲଣ୍ଡ । ଏହି ବିଜୟ ସହ 2-0ରେ ସିରିଜରେ ଆଗୁଆ ରହିଛି ଇଂଲିଶ ଦଳ ।
ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଘରୋଇ ଇଂଲଣ୍ଡ । ଫଳରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୫୮ ରନ୍ କରିଥିଲା ଭ୍ରମଣକାରୀ ଦଳ ପାକିସ୍ତାନ । ଦଳର ପାଳିରେ ସାମିଲ ଥିଲା ଇମାମ୍ ଉଲ୍-ହକଙ୍କ ଧୂଆଁଧାର ଶତକୀୟ ପାଳି ।
ଧାର୍ଯ୍ୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡର ଓପନିଂ ଯୋଡି ଜସୋନ ରୟ(76) ଓ ଜନ୍ନି ବେୟାରଷ୍ଟୋ(128) ଦଳ ପାଇଁ ଭଲ ଆରମ୍ଭ କରିଥିଲେ । ଏହି ଯୋଡ଼ି ପ୍ରଥମ ୱିକେଟ ପାଇଁ 159ରନ କରିଥିଲେ । ତେବେ ରୟ ଆଉଟ ହେବା ପରେ ଜୋ ରୁଟ୍ ଓ ବେୟାରଷ୍ଟୋ ଦଳୀୟ ସ୍କୋରକୁ ଆଗକୁ ବଢାଇଥିଲେ । ସେହିପରି ଅଲରାଉଣ୍ଡର ବେନ ଷ୍ଟୋକ(37) ଓ ମୋଇନ ଅଲ୍ଲୀ(46)ରନର ପାଳି ଖେଳିଥିଲେ । ଶେଷରେ ଅଲ୍ଲୀ ଓ ଅଧିନାୟକ ଇଓନ ମୋର୍ଗାନ(17) ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ ।
ପାକିସ୍ତାନ ପକ୍ଷରୁ ଜୁନେଦ ଖାନ୍, ଅହମ୍ମଦ ୱାସିମ ଓ ଫାହିମ ଅସରଫ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।
ସେହିପରି ବ୍ୟାଟିଂରେ ପାକିସ୍ତାନ ପକ୍ଷରୁ ଇମାମ୍ ସର୍ବାଧିକ ୧୫୧ (୧୩୧ ବଲ୍, ୧୬ ଚୌକା, ୧ ଛକା) ରନ୍ କରିଛନ୍ତି। ତେବେ ଟିମର ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଆସିଫ୍ ଅଲୀ ୫୨ (୪୩ ବଲ୍, ୨ ଚୌକା, ୩ ଛକା), ହାରିସ୍ ସୋହେଲ୍ ୪୧, ଅଧିନାୟକ ସର୍ଫରାଜ ଅହମ୍ମଦ ୨୭, ଇମାଦ୍ ୱାସିମ୍ ୨୨, ବାବର ଆଜମ ୧୫, ଫହୀମ ଅସରଫ୍ ୧୩ ଓ ହାସାନ୍ ଅଲୀ ଅପରାଜିତ ୧୮ ରନ୍ କରିଛନ୍ତି। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ସର୍ବାଧିକ ୪ଟି ଓ ଟମ୍ କରାନ୍ ୨ଟି ୱିକେଟ୍ ନେଇଛନ୍ତି।
ସୂଚନାଯୋଗ୍ୟ, ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ୧୨ ରନରେ ବିଜୟୀ ହୋଇଥିଲା ।