ଲଣ୍ଡନ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଅବସର ନେଇନପାରନ୍ତି। ଇଂଲଣ୍ଡ ବିରୋଧରେ ଗତକାଲି ଧମାକାଦାର ଇଂନିସ ଖେଳିବା ପରେ ସେ ଏହି ସୂଚନା ଦେଇଛନ୍ତି। ନିଜ ଅବସର ନିଷ୍ପତ୍ତି ଉପରେ ଆଉଥରେ ଚିନ୍ତା କରିବା ବିଷୟରେ ସେ ଭାବୁଛନ୍ତି ବୋଲି ଗେଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଗେଲ ଆଗାମୀ ବିଶ୍ୱକପ ପରେ କ୍ରିକେଟକୁ ଅଲବିଦା କହିବେ ବୋଲି ସୂଚନା ଦେଇଥିଲେ। ତେବେ ଏହାର ଦଶ ଦିନ ପରେ ସେ ଏପରି ପାଳି ଖେଳିଛନ୍ତି ଯେ ନିଜେ ହିଁ ଅବସର ନନେବା ଉପରେ ମତ ଦେଇଛନ୍ତି। ଗେଲ କହିଛନ୍ତି ଯେ ଏହି ଇଂନିସ ତାଙ୍କ ଜୀବନର ସବୁଠାରୁ ମନୋରଞ୍ଜନପୂର୍ଣ୍ଣ ଗେମ ଥିଲା। ସବୁବେଳେ ଟ୍ୱେଣ୍ଟି20 କ୍ରିକେଟ ଖେଳୁଥିବାରୁ ଦିନିକିଆ ଫର୍ମାଟ ଖେଳିବା ତାଙ୍କ ପାଇଁ ଟିକେ କଷ୍ଟକର ହୋଇପଡେ।
ତାଙ୍କ ବୟସ ଏବେ 40 ପାଖାପାଖି ହେଲାଣି । ହେଲେ ସେ ଥକି ପଡିନାହାନ୍ତି । ଏବେ ମଧ୍ୟ ଶରୀର ତାଙ୍କୁ ଖେଳିବାକୁ ଅନୁମତି ଦେଉଛି। ତେଣୁ ସେ ଅବସର ନନେବା କଥା ଭାବୁଛନ୍ତି। ଏବେ ମଧ୍ୟ ସେ କ୍ରିକେଟକୁ ମନ ଭରି ଉପଭୋଗ କରୁଛନ୍ତି ବୋଲି କ୍ରିସ କହିଛନ୍ତି। ତେବେ ଏଥିପାଇଁ ଏବେ ଅନେକ ସମୟ ବାକି ଅଛି। ଏହା ବିଷୟରେ ସେ ପରେ ଭାବିବେ ବୋଲି ସୂଚନା ଦେଇଛନ୍ତି।
ନିଜ ଶରୀର ଉପରେ ତାଙ୍କୁ ଅନେକ କିଛି କାମ କରିବାର ଅଛି। ଫିଟନେସ ଉପରେ ସବୁବେଳେ ସେ ଧ୍ୟାନ ଦେଇଥାନ୍ତି। ଆଗକୁ ଏହା ଉପରେ ସେ ଅଧିକ କାମ କରିବେ। ତାଙ୍କର ଆଶା ଅଛି ଆଗାମୀ କିଛି ମାସ ମଧ୍ୟରେ ତାଙ୍କ ଶରୀରରେ କିଛି ପରିବର୍ତ୍ତନ ହେବ। ଫଳରେ ଫ୍ୟାନ୍ସ ତାଙ୍କର ନୂଆ ରୂପ ଦେଖିବେ ବୋଲି ଗେଲ କହିଛନ୍ତି। ତାଙ୍କ ଶତକ ସତ୍ତ୍ୱେ ୱେଷ୍ଟଇଣ୍ଡିଜ ହାରିଯିବାରୁ ଗେଲ ସାମାନ୍ୟ ଦୁଃଖିତ ଅଛନ୍ତି। ତେବେ ସେ କହିଛନ୍ତି ଏହା ଏକ ଯୁବ ଦଳ ଏବଂ ଏହା ଏବେ ଶିକ୍ଷା ଲାଭ କରୁଛି । ଖେଳାଳି ଆଉ ଟିକେ ସ୍ମାର୍ଟ ହୋଇ ଖେଳିଥିଲେ ମ୍ୟାଚ ଜିତି ଯାଇଥାନ୍ତେ ବୋଲି କ୍ରିସ କହିଛନ୍ତି।
![undefined](https://s3.amazonaws.com/saranyu-test/etv-bharath-assests/images/ad.png)