ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଜଙ୍ଗଲ ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ପାଇଁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଆୟୋଜନ ହୋଇଥିଲା ବୁସଫାୟାର ଚାରିଟି ମ୍ୟାଚ । ଯେଉଁଥିରେ ଗ୍ରିଲଖ୍ରୀଷ୍ଟ ଏକାଦଶକୁ ହରାଇ ପଏଣ୍ଟିଂ ଏକାଦଶ ବିଜୟୀ ହୋଇଛି । ତେବେ ଏହି ମ୍ୟାଚରୁ ମୋଟ 77ଲକ୍ଷ ଅଷ୍ଟ୍ରେଲୀୟ ଡଲାର୍ ଅର୍ଥରାଶି ଆୟ ହୋଇଥିବା କ୍ରିକେଟ ଅଷ୍ଟ୍ରେଲିଆ ଟ୍ବିଟ କରି ସୂଚନା ଦେଇଛି ।
ତେବେ ଏହି ମ୍ୟାଚରେ ମେଳି ଜମିଥିଲା କିମ୍ବଦନ୍ତୀ କ୍ରିକେଟରମାନଙ୍କ । ଯାହାଙ୍କ ମଧ୍ୟରେ ଥିଲେ ଭାରତୀୟ ମହାନ କ୍ରିକେଟର ସଚିନ ତେନ୍ଦୁଲକର । ଅଷ୍ଟ୍ରେଲିଆ ଜଙ୍ଗଲ ଭୟାବହ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ ପାଇଁ ଏହି ମ୍ୟାଚର ଆୟୋଜନ ହୋଇଥିଲା । ଏହି ମ୍ୟାଚରୁ ଆୟ ସମସ୍ତ ଅର୍ଥରାଶି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ପରିବାରକୁ ପ୍ରଦାନ କରାଯିବ ।
ପ୍ରଥମେ ବ୍ୟାଟିଂ କରି ପଏଣ୍ଟିଂ ଏକାଦଶ ନିର୍ଧାରିତ 10 ଓଭରରେ 104/5 ରନ କରିଥିଲା । ବ୍ରାଏଲ ଲାରା 30, ରିକି ପଏଣ୍ଟିଂ 26 ଓ ମାଥ୍ୟୁ ହେଡେନ 16 ରନ କରିଥିଲେ । ଜବାବରେ ଗ୍ରିଲଖ୍ରୀଷ୍ଟ ଏକାଦଶ 103 ରନରେ ଅଟକି ଯାଇଥିଲା । ସେନ ୱାଟସନ 30, ଆଣ୍ଡ୍ରେ ସାଇମଣ୍ଡସ 29 ରନ କରିଥିଲେ । ଯୁବରାଜ ସିଂହ ମାତ୍ର 2 ରନ କରିଥିଲେ ।