ଚେନ୍ନାଇ: ଇଂଲଣ୍ଡ ୱିକେଟ କିପର ବ୍ୟାଟ୍ସମ୍ୟାନ ବେନ ଫୋକ୍ସ ସୋମବାର 28 ବର୍ଷରେ ପାଦ ଦେଇଛନ୍ତି । ଭାରତ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଚମତ୍କାର ୱିକେଟ କିପିଂ ପାଇଁ ବିଶ୍ବ ତମାମ କ୍ରିକେଟ ସମୁଦାୟକୁ ଫୋକ୍ସଙ୍କୁ ପ୍ରଶଂସା କରାଯାଉଛି ।
ଫୋକ୍ସଙ୍କୁ ଭାରତରେ ଶ୍ରେଷ୍ଠ ବିଦେଶୀ ୱିକେଟ କିପର ସମ୍ବୋଧନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର କିରଣ ମୋରେ । ୱିକେଟ ପଛରେ ଫୋକ୍ସଙ୍କ ଅବିଶ୍ବସନୀୟ ପ୍ରଦର୍ଶନ ପାଇଁ ଭାରତର ପ୍ରଥମ ଇଂନିସରେ 95.5 ଓଭରରେ ଇଂଲଣ୍ଡ ଗୋଟିଏ ବି ଅତିରିକ୍ତ ରନ ବ୍ୟୟ କରିନଥିଲା । କ୍ୟାରିୟରର ଷଷ୍ଠ ଟେଷ୍ଟ ଖେଳୁଥିବା ଫୋକ୍ସ ତୃତୀୟ ଦିନରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ । ଫଳରେ ଇଂଲଣ୍ଡ ମାତ୍ର 5 ବାଏ(ଅତିରିକ୍ତ) ବ୍ୟୟ କରିଥିଲା ।
ମୋରେଙ୍କ ବ୍ୟତୀତ ପୂର୍ବତନ ଅଷ୍ଟ୍ରେଲୀୟ ୱିକେଟ କିପର ବ୍ୟାଟ୍ସମ୍ୟାନ ଆଡାମ ଗିଲଖ୍ରୀଷ୍ଟ, ପୂର୍ବତନ ଇଂଲଣ୍ଡ ୱିକେଟ କିପର ମାଟ୍ଟ ପ୍ରାୟର ଓ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଫୋକ୍ସଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ