କଟକ: ସାଧାରଣ ନିର୍ବାଚନ ପରେ ଏବେ କ୍ରିକେଟ ସଙ୍ଘରେ ନିର୍ବାଚନ ଋତୁ । ଆସନ୍ତା 27 ତାରିଖରେ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ)ର ନିର୍ବାଚନ । ଯାହାକୁ ନେଇ ଓସିଏ ପରିସରରେ ସ୍ଥିତି ସରଗରମ ରହିଛି । ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇସାରିଥିବା ବେଳେ ଆସନ୍ତା 20 ତାରିଖରେ ପ୍ରାର୍ଥୀ ତାଲିକା ପ୍ରକାଶିତ ହେବ । ମାତ୍ର ପ୍ରକାଶ ପାଇ ସାରିଥିବା ଭୋଟର ତାଲିକାକୁ ନେଇ ଏବେ ଦେଖା ଦେଇଛି ଦ୍ବନ୍ଦ୍ବ । ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କ ଭୋଟର ତାଲିକାରେ ନାମକୁ ନେଇ ଦେଖାଦେଇଛି କଳହ ।
ତେବେ ରାଇଜିଂ ଷ୍ଟୁଡେଣ୍ଟ କ୍ଲବର ପ୍ରତିନିଧିତ୍ବ କରୁଥିବା ଆଶୀର୍ବାଦ ନିଜ ଜାଲରେ ନିଜେ ଫସି ହେବା ପରି ଲାଗୁଛି । କାରଣ ଗତକାଲି(ସୋମବାର) ବିସିସିଆଇ ୱେବାଇଟରେ ଏକ ସ୍ପଷ୍ଟୀକରଣ ଜାରି ହୋଇଛି (କୁଲିଙ୍ଗ ଅଫ ପିରିୟଡ) । ଏହା ଅନୁଯାୟୀ 70ବର୍ଷ ବୟସ ଅବଧୀ ଓ କୌଣସି ସଂଘରେ 9 ବର୍ଷ ଧରି ଜଡିତ ଥିବା ବ୍ୟକ୍ତି ସଙ୍ଘର କୌଣସି ବୈଠକରେ ବସି ପାରିବେ ନାହିଁ କି ସଙ୍ଘର ନିର୍ବାଚନରେ ଭୋଟ ଦେବାକୁ ଅଯୋଗ୍ୟ । ଫଳରେ ନିୟମ ଅଧାରରେ ଭୋଟ ଦେବାର ଅଧିକାର ହରାଇ ପାରନ୍ତି ଆଶୀର୍ବାଦ ।
ତେବେ ପୂର୍ବରୁ ଏହି ଆଧାରରେ ସେ ପ୍ରାର୍ଥୀ ପାଇଁ ଅଯୋଗ୍ୟ ହୋଇ ସାରିଥିଲେ ହେଁ ନିଜ ସାନ ପୁଅ ସଂଜୟ ବେହେରାଙ୍କୁ ପ୍ରାର୍ଥୀ କରିଛନ୍ତି । ଅନ୍ୟପଟେ ଦୀର୍ଘ ଦିନ ଧରି ସଙ୍ଘକୁ ନିଜ ନିୟନ୍ତ୍ରଣରେ ରଖିଥିବା ବେଳେ ଚଳିତ ନିର୍ବାଚନରେ ଚତୁରତା ସହ ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ପକ୍ଷରୁ ଭୋଟର ତାଲିକାରେ ସ୍ଥାନ ପକ୍କା କରିଥିଲେ । ମାତ୍ର ବିସିସିଆଇର ଏହି ସ୍ପଷ୍ଟୀକରଣ ଓସିଏ ନିର୍ବାଚନକୁ ଆହୁରି ସରଗରମ କରି ଦେଇଛି ।
ତେବେ ଆଗକୁ ଏନେଇ ନିର୍ବାଚନ ଅଧିରକାରୀ ଏଲଏମ ମଜୁମଦାର କଣ ପଦକ୍ଷପ ନେଉଛନ୍ତି ତାକୁ କେବଳ ଅପେକ୍ଷା ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ