ମୁମ୍ବାଇ: କ୍ରିକେଟ ବିଶ୍ବକପକୁ ଆଉ ମାତ୍ର 28 ଦିନ । ଆରମ୍ଭ ହେଲାଣି କାଉଣ୍ଟଡାଉନ । ଇଂଲଣ୍ଡରେ ମେ 30ରୁ ଖେଳାଯିବ କ୍ରିକେଟର ସବୁଠୁ ବଡ ଟୁର୍ଣ୍ଣାମେଣ୍ଟ । ଘୋଷଣା ହୋଇ ସରିଲାଣି ଖେଳାଳିଙ୍କ ତାଲିକା । ପ୍ରସ୍ତୁତ ହେଉଛନ୍ତି ଖେଳାଳି । ପ୍ରସ୍ତୁତ ହେଉଛି ରଣନୀତି ।
ଖେଳାଳିଙ୍କ ପ୍ରଦର୍ଶନ ଦୃଷ୍ଟିରୁ 2019 ଇଂଲଣ୍ଡ ବିଶ୍ବକପରେ ଭାରତ ପ୍ରମୁଖ ଦାବିଦାର ରହିଛି । ଏନେଇ ଅନେକ ପୂର୍ବତନ ଖେଳାଳି ମତ ଦେଇସାରିଛନ୍ତି । ବିସିସିଆଇ 15 ଜଣିଆ ଭାରତୀୟ ବିଶ୍ବକପ ଦଳ ଘୋଷଣା କରିଛି । ତେବେ ଭାରତର ବିଶ୍ବକପ ରଣନୀତି ପଦାରେ ପଡିବାର ଆଶଙ୍କା ଉପୁଜିଛି ।
କାରଣ ଅନେକ ବିଦେଶୀ ପୂର୍ବତନ ଖେଳାଳି ଆଇପିଏଲ ଯୋଗୁଁ ଭାରତରେ ଅଛନ୍ତି । ଆଇପିଏଲରେ ବିଭିନ୍ନ ଦଳର କୋଚ ଓ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି । ତେଣୁ ଭାରତୀୟ ଖେଳାଳିଙ୍କ ଦୁର୍ବଳତାକୁ ପାଖରୁ ପରଖୁଛନ୍ତି । ଯାହାକି ଭାରତୀୟ ବିଶ୍ବକପ ଦଳ ପାଇଁ ବୁମେରାଂ ହୋଇପାରେ । କାରଣ ବିଶ୍ବକପ ସମୟରେ ସେହି ଖେଳାଳିମାନେ ସ୍ବଦେଶ ଫେରି ନିଜ ଜାତୀୟ ଦଳରେ ଯୋଗଦେବେ ।
ସେହି ଖେଳାଳି ମାନଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀ କ୍ୟାପିଟାଲ୍ସର କୋଚ ରିକି ପଣ୍ଟିଂ । ସେ ଅଷ୍ଟ୍ରେଲିଆ ଦଳର ସହକାରୀ କୋଚ ଅଛନ୍ତି । ଶ୍ରୀରାମ ସୋମାୟାଜୁଲା ଶ୍ରୀଲଙ୍କା ଜାତୀୟ ଦଳର ପରାମର୍ଶ ଦାତା ଅଛନ୍ତି ଓ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ମଧ୍ୟ କାର୍ଯ୍ୟ କରୁଛନ୍ତି । ସାଉଥ ଆଫ୍ରିକାର ଜାତୀୟ ଦଳର ପରାମର୍ଶଦାତା ପ୍ରଶନ୍ନା ଆଗୋରମ, କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳ ସହ ଅଛନ୍ତି ।
ଟିମ ଇଣ୍ଡିଆର ସହକାରୀ କୋଚ ଦାୟିତ୍ବରେ ଥିବାରୁ ସଞ୍ଜୟ ବାଙ୍ଗରଙ୍କୁ ଆଇପିଏଲ ବାରଣ କରାଯାଇଛି । ଯଦି ଭାରତୀୟ ଖେଳାଳି ରାହୁଲ ଦ୍ରାବିଡ, ଲକ୍ଷ୍ମଣ, ସଚିନଙ୍କୁ ଆଇପିଏଲରେ କାର୍ଯ୍ୟକରିବା ନେଇ ପ୍ରଶ୍ନ ଉଠିପାରୁଛି, ତେବେ ବିଦେଶୀ ଖେଳାଳିଙ୍କ ପାଇଁ ନିୟମ କୋହଳ କାହିଁକି ? ବିଦେଶୀ ଖେଳାଳି ନିଜ ଦେଶର ଜାତୀୟ ଦଳରେ ମୁଖ୍ୟ ଭୁମିକା ନିଭଉଥିବାରୁ, ବିଶ୍ବକପ ସମୟରେ ଭାରତୀୟ ଖେଳାଳିଙ୍କ ସହ ରହିବାକୁ ନେଇ ପଶ୍ନ ଉଠିଛି ।