ମୁମ୍ବାଇ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସନ୍ତା ଅକ୍ଟୋବର-ନଭେମ୍ବରରେ ଆଇପିଏଲ ଅନୁଷ୍ଠିତ ହୋଇପାରେ । ଏଥି ସହିତ ବିଶ୍ବ କ୍ରିକେଟ ପ୍ରେମୀଙ୍କୁ ନିରାଶ କରି ଅଷ୍ଟ୍ରେଲିଆରେ ହେବାକୁ ଥିବା ଆଗାମୀ 2020 ଟି -20 ବିଶ୍ବକପକୁ 2022 ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇ ପାରେ ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟ ଅନୁସାରେ ଆସନ୍ତାକାଲି(ଗୁରୁବାର) ଅନୁଷ୍ଠିତ ହେବାକୁ ଥିବା ଆଇସିସି ବୈଠକରେ ଏହି ନିଷ୍ପତି ନିଆଯାଇ ପାରେ ବୋଲି ଆଲୋଚନା ହେଉଛି । ଏଥିସହ ବିସିସିଆଇ ଏହି ସ୍ଥାନରେ ଆଇପିଏଲ ପାଇଁ ଅପିଲ କରି ପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଗୁରୁବାର ହେବାକୁ ଯାଉଥିବା ବୋର୍ଡ ବୈଠକରେ ବିଶ୍ବ ଟି -20 ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯିବ । ମାତ୍ର ଏକ ଆନୁଷ୍ଠାନିକ ଘୋଷଣା ହେବ କି ନାହିଁ ତାହା ପ୍ରଶ୍ନ ବୋଲି ଆଇସିସି ବୋର୍ଡ ସଦସ୍ୟ ଜଣଙ୍କ ନାମ ଗୋପନ ରଖି କହିଛନ୍ତି ।
ଏହି ପରିସ୍ଥିତିରେ ବିଶ୍ବକପ ଟି -20 ଆୟୋଜନର ଖୁବ କମ ସମ୍ଭାବନା ରହିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି ଯେ କ୍ରିକେଟ୍ ଅଷ୍ଟ୍ରେଲିଆ କିମ୍ବା ଅନ୍ୟ କୌଣସି ବୋର୍ଡ ଏହାକୁ ନେଇ ଆପତ୍ତି ଜାହିର କରିବେ ନାହିଁ । ଏଥିସହ ଏହା ମଧ୍ୟ ସ୍ଥିର ହୋଇପାରେ ଯେ ବର୍ଷ ଶେଷରେ ଭାରତ ଅଷ୍ଟ୍ରେଲିଆ ଗସ୍ତ କରିବ । କାରଣ ମହାମାରୀ ସମୟରେ ହୋଇଥିବା ଆର୍ଥିକ କ୍ଷତିରୁ ପୁନରୁଦ୍ଧାର ଏହା ଜରୁରୀ ହୋଇ ପଡିଛି ।
ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ କେବଳ ଦେଶ ବିଷୟରେ ନୁହେଁ ବରଂ ପ୍ରସାରଣକାରୀ ଷ୍ଟାର ସ୍ପୋର୍ଟସ ବିଷୟରେ ଚିନ୍ତା କରାଯାଇପାରେ । ଯାହା ଉଭୟ ଆଇସିସି ଇଭେଣ୍ଟ ତଥା ବିସିସିଆଇର ଆଇପିଏଲ୍ ପାଇଁ ରାଇଟ୍ସ ରଖିଛି । ତେଣୁ ବିଶ୍ବକପ ସ୍ଥିଗିତ ରହିଲେ ଅକ୍ଟୋବର-ନଭେମ୍ବର କାର୍ଯ୍ୟସୂଚୀରେ ବିସିସିଆଇ ଆଇପିଏଲ ପାଇଁ ଦାବି ରଖିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ