ଦୂରହମ: ଗୋଟିଏ ଦିନରେ ଗୋଟିଏ ସମୟରେ ଭିନ୍ନ ଭିନ୍ନ ଟିମ ବିପକ୍ଷରେ ଖେଳୁଛି ଟିମ ଇଣ୍ଡିଆ । ଶ୍ରୀଲଙ୍କାରେ ଶିଖର ଧାୱନଙ୍କ ନେତୃତ୍ବରେ ଦିନିକିଆ ସିରିଜର ଦ୍ବିତୀୟ ମ୍ୟାଚ ଖେଳୁଥିବାବେଳେ, ଇଂଲଣ୍ଡରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଅଭ୍ୟାସ ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । କାଉଣ୍ଟି ଏକାଦଶ ବିପକ୍ଷରେ ଇଂଲଣ୍ଡ ଗସ୍ତରେ ଥିବା ଟିମ ଇଣ୍ଡିଆର ୩ ଦିନିଆ ଅଭ୍ୟାସ ମ୍ୟାଚ ଆରମ୍ଭ ହୋଇଛି । ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।
ବିରାଟ କୋହଲି ଓ ଅଜିଙ୍କ୍ୟ ରାହାଣେଙ୍କୁ ଏହି ମ୍ୟାଚ୍ରେ ବିଶ୍ରାମ ମିଳିଛି ଫଳରେ ରୋହିତ ଶର୍ମାଙ୍କୁ ନେତୃତ୍ବ ଦାୟିତ୍ବ ମିଳିଛି । ରବିଚନ୍ଦ୍ରନ ଅଶ୍ବିନ ଓ ଇଶାନ୍ତ ଶର୍ମା ମଧ୍ୟ ଅଭ୍ୟାସ ମ୍ୟାଚରୁ ବିଶ୍ରାମ ନେଇଛନ୍ତି । ତାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁର ଓ ଉମେଶ ଯାଦବଙ୍କୁ ଭାରତୀୟ ଏକାଦଶରେ ସାମିଲ ହୋଇଛନ୍ତି ।
ନ୍ୟୁଜିଲାଣ୍ଡ ବିପକ୍ଷରେ WTC ଫାଇନାଲରେ ପରାଜୟ ପରେ କ୍ୟାପଟେନ ବିରାଟ କୋହଲି ଇଂଲଣ୍ଡରେ ଅଭ୍ୟାସର ଅଭାବ ପ୍ରସଙ୍ଗ ଉଠାଇଥିଲେ । ଏହାପରେ BCCI ଇଂଲଣ୍ଡ ବିପକ୍ଷରେ ୫ଟିକିଆ ଟେଷ୍ଟା ସିରିଜ ପୂର୍ବରୁ ଏକ ୩ଦିନିଆ ଅଭ୍ୟାସ ମ୍ୟାଚର ବ୍ୟବସ୍ଥା କରିବାକୁ ECBକୁ ଅନୁରୋଧ କରିଥିଲା ।
ଗତ ସପ୍ତାହରେ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ COVID-୧୯ ପଜିଟିଭ ଚିହ୍ନଟ ହେବାପରେ ଅଭ୍ୟାସ ମ୍ୟାଚ୍ ଖେଳିବାକୁ ବଞ୍ଚିତ ହୋଇଛନ୍ତି ।
ଭାରତୀୟ ଚୁଡାନ୍ତ ଏକାଦଶ: ରୋହିତ ଶର୍ମା, ମୟଙ୍କ ଅଗ୍ରୱାଲ, ଚେତେଶ୍ବର ପୂଜାରା, ହନୁମା ବିହାରୀ, କେଏଲ ରାହୁଲ(ୱିକେଟ କିପର), ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଉମେଶ ଯାଦବ, ମହମ୍ମଦ ସିରାଜ, ଜଶପ୍ରୀତ ବୁମରା ।
କାଉଣ୍ଟି ଏକାଦଶ ସ୍କ୍ବାଡ: ଜ୍ୟାକ ଚାପେଲ୍, ରୋବର୍ଟ ୟେଟ୍ସ, ଜେମ୍ସ ବ୍ରେସି(ୱିକେଟ କିପର), ହସିବ ବମିଦ, ରେହାନ ଅହମ୍ମଦ, ଜେମ୍ସ ରିଉ, ୱିଲ ରୋହଡେସ(କ୍ୟାପଟେନ୍), ଜେକ ଲିବି, ଲେଣ୍ଡନ ଜେମ୍ସ, କ୍ରେଗ ମିଲସ, ଲିଆମ ପାଟରସନ-ହ୍ବାଇଟ, ଇଥାନ ବାମ୍ବର, ଜାକ କାର୍ସନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ