ଭୁବନେଶ୍ବର: ୨୦୨୩ ହକି ବିଶ୍ବକପରେ ପ୍ରାୟୋଜକ ରହିଛି ଓଡିଶା । ଜାନୁଆରୀ ୧୩ ରୁ ୨୯ ଯାଏଁ ଖେଳାଯିବ ହକି ବିଶ୍ବକପ । ତେବେ ଉଭୟ ଭୁବନେଶ୍ବର ଓ ରାଉରକେଲାଠାରେ ଆୟୋଜିତ ହେବ ଏହି କ୍ରୀଡା ମହାକୁମ୍ଭ । ରାଜ୍ୟ ସରକାର ସବୁବେଳେ ଖେଳକୁ ପ୍ରତ୍ସାହନ ଦେଇ ଆସିଛନ୍ତି ।
ହକି ବିଶ୍ବକପ ପୂର୍ବରୁ ବିଭିନ୍ନ ମହଲରେ ହକି ତଥା ଅନ୍ୟାନ୍ୟ ଖେଳକୁଦ ସମ୍ପର୍କରେ ସଚେତନତା ତଥା ଉତ୍ସାହ ସୃଷ୍ଟି କରିବା ନିମନ୍ତେ ସରକାର ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି । ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ବିଦ୍ୟାଳୟଠାରୁ ଆରମ୍ଭ କରି ରାଜ୍ୟ ପର୍ଯ୍ୟନ୍ତ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ହେବ । ଏହି ପ୍ରତିଯୋଗିତା ଆସନ୍ତାକାଲିଠାରୁ (ଗୁରୁବାର) ଆରମ୍ଭ ହୋଇ ଜିଲ୍ଲା ସ୍ତରରେ ଜାନୁଆରୀ 10 ତାରିଖରେ ସମାପ୍ତ ହେବ । ଏନେଇ ଭୁବନେଶ୍ଵର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳାୟ ଅନୁଦାନ ରାଶି ପ୍ରଦାନ କରିଛନ୍ତି ।
ଏନେଇ କେତେ ଅନୁଦାନ ରାଶି ପ୍ରଦାନ କରାଯାଇଛି
ବ୍ଲକ ସ୍ତରରେ ପ୍ରତିଯୋଗିତା ନିମନ୍ତେ ପ୍ରତି ବ୍ଲକ ପିଛା 54 ହଜାର ଟଙ୍କା ହିସାବରେ ମୋଟ 1,69,56,000 ଟଙ୍କା ଓ ଜିଲ୍ଲା ସ୍ତରରେ ପ୍ରତିଯୋଗିତା ନିମନ୍ତେ 57,59,780 ଟଙ୍କା ପ୍ରଦାନ କରାଯାଇଛି । ଅନ୍ୟ ପକ୍ଷରେ ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ପ୍ରତିଯୋଗିତା ନିମନ୍ତେ ପ୍ରତିଯୋଗୀମାନେ ଆସିବାପାଇଁ 89,90,000 ଟଙ୍କା ପ୍ରଦାନ କରାଯାଇଛି ।
ହକିର ବହୁଳ ପ୍ରଚାର ପ୍ରସାର ପ୍ରଥା ତୃଣମୂଳ ସ୍ତରରେ ସଚେତନତା ପାଇଁ, ଚଳିତ ବର୍ଷ ବ୍ଲକ ତଥା ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ହକି ଏବଂ ହକି ସହିତ ଜଡିତ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଉଛି । କ୍ରୀଡା ଏବଂ ଯୁବ ବ୍ୟପାର ବିଭାଗ ତଥା ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଦ୍ବାରା ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଉଛି । ଏନେଇ ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଲେଖି ଅବଗତ କରାଯାଇଛି।
ଇଟିଭି ଭାରତ, ଭୁବନେଶ୍ବର