ନୂଆଦିଲ୍ଲୀ: ଦଳ ବଦଳାଇବାକୁ ଯୋଜନା କରୁଛନ୍ତି ଜୁନିୟର ତେନ୍ଦୁଲକର । କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ମୁମ୍ବାଇ ଛାଡି ଗୋଆ ପକ୍ଷରୁ ଖେଳିବାକୁ ଯୋଜନା କରୁଛନ୍ତି । ଏହାରି ମଧ୍ୟରେ ସେ ମୁମ୍ବାଇ କ୍ରିକେଟ ଆସୋସିଏସନକୁ ଏନଓସି( no-objection certificate) ପାଇଁ ଆବେଦନ କରିଥିବା ଜଣାପଡିଛି । ମୁମ୍ବାଇ ପକ୍ଷରୁ ଖେଳିବାକୁ ସୁଯୋଗ ମିଳୁନଥିବାରୁ ଅର୍ଜୁନ ଏହି ନିଷ୍ପତ୍ତି ନେଇଛନ୍ତି ।
ଆଇପିଏଲ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସର ସଦସ୍ୟ ଥିବା ଅର୍ଜୁନ ମୁମ୍ବାଇ ପକ୍ଷରୁ 2ଟି ଟି20 ମୁକାବିଲା ଖେଳିଛନ୍ତି । 2021-22 ସିଜିନର ସୟଦ ମୁସ୍ତାକ ଅଲୀ ଟ୍ରଫିରେ ହରିୟାଣା ଓ ପୁଡୁଚେରୀ ବିପକ୍ଷରେ ଖେଳିବାକୁ ଅର୍ଜୁନଙ୍କୁ ସୁଯୋଗ ମିଳିଥିଲା । 2 ବର୍ଷ ହେବ ତାଙ୍କୁ ପର୍ଦାପଣ ସୁଯୋଗ ମିଳୁନାହିଁ । ମୁମ୍ବାଇ ଛାଡି ଗୋଆରୁ ଖେଳିଲେ ଅର୍ଜୁନଙ୍କୁ ଅଧିକରୁ ଅଧିକ ସୁଯୋଗ ମିଳିବ । 22ବର୍ଷୀୟ ଫାଷ୍ଟ ବୋଲର ଅର୍ଜୁନ ପଡିଆରେ ଅଧିକ ସମୟ ବିତାଇ ନିଜକୁ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି । ପୂର୍ବରୁ 19 ବର୍ଷରୁ କମ ଭାରତୀୟ ଦଳ ପକ୍ଷରୁ ଶ୍ରୀଲଙ୍କା ବିପକ୍ଷରେ 2ଟି ଟେଷ୍ଟ ଖେଳିଥିଲେ । ସୁଯୋଗ ଅଭାବରୁ ସେ ଆଗକୁ ବଢିପାରୁ ନଥିବା କହିଛନ୍ତି ।
ଗୋଆ କ୍ରିକେଟ ସଂଘର ସଭାପତି ସୁରଜ ଲୋଟଲିକାର କହିଛନ୍ତି,'' ଗୋଆ ଦଳକୁ ଜଣେ ବାମହାତୀ ପେସର ଓ ମିଡିଲ ଅର୍ଡର ବ୍ୟାଟର ଆବଶ୍ୟକ ଥିଲା । ଅର୍ଜୁନଙ୍କ ଆଗମନରେ ଏହି ସମସ୍ୟାର ସମାଧାନ ହୋଇଯିବ ।''