ହାଇଦ୍ରାବାଦ: ବିତ୍ତଶାଳୀ ଟି-୨୦ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍(IPL) ପରିବାରରେ ନୂଆ ଦୁଇଟି ସଦସ୍ୟ ହୋଇଛନ୍ତି ଅହମ୍ମଦାବାଦ ଓ ଲକ୍ଷ୍ନୌ । ଆଇପିଏଲର ଆଗାମୀ ସଂସ୍କରଣ ଠାରୁ ଟୁର୍ଣ୍ଣାମେଣ୍ଟରେ ୧୦ ଟିମ ଅଂଶଗ୍ରହଣ କରିବେ । CVC କ୍ୟାପିଟାଲ ପାର୍ଟନର୍ସ କମ୍ପାନୀ ଅହମ୍ମଦାବାଦ ଫ୍ରାଞ୍ଚାଇଜ କିଣିଥିବାବେଳେ RP-ସଞ୍ଜୀବ ଗୋୟେଙ୍କା ଗ୍ରୁପ(RPSG) ଲକ୍ଷ୍ନୌ ଫ୍ରାଞ୍ଚାଇଜର ମାଲିକାନା ହାତେଇଛି । ସୋମବାର ଦୁବାଇର ତାଜ ହୋଟେଲ୍ରେ ନୂଆ ଦୁଇଟି ଆଇପିଏଲ ଟିମ ପାଇଁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏନେଇ ଜଣେ BCCI ଅଧିକାରୀ ସ୍ପଷ୍ଟ କରିଛନ୍ତି ।
IPLର ପ୍ରଥମ ସଂସ୍କରଣ ବର୍ଷ ୨୦୦୮ରେ ଖେଳାଯାଇଥିଲା, ସେବେଠାରୁ ଏହି ଲିଗ୍ ବୃଦ୍ଧି ପାଇବାରେ ଲାଗିଛି । ଏହା ବିଶ୍ବର ସବୁଠୁ ଅଧିକ ଲୋକେ ଦେଖୁଥିବା ପ୍ରତିଯୋଗିତା ମଧ୍ୟ ।
ଚେନ୍ନାଇ ସୁପର କିଙ୍ଗ୍ସ, ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, କୋଲକାତା ନାଇଟ ରାଇଡର୍ସ, ଦିଲ୍ଲୀ କ୍ୟାପିଟାଲ୍ସ,ସନରାଇଜର୍ସ ହାଇଦ୍ରାବାଦ, ପଞ୍ଜାବ କିଙ୍ଗ୍ସ, ରାଜସ୍ଥାନ ରୟାଲ୍ସ ପୂର୍ବରୁ ଲିଗ୍ର ୮ଟି ଫ୍ରାଞ୍ଚାଇଜ ରହିଛନ୍ତି । ହାଇଦ୍ରାବାଦ ଫ୍ରାଞ୍ଚାଇଜର ନାମ ପୂର୍ବରୁ ଡେକାନ ଚାର୍ଜର୍ସ ରହିଥିଲା ମାତ୍ର ମାଲିକାନା ବଦଳିବା ପରେ ଏହାର ନାମ ସନରାଇଜର୍ସ ହାଇଦ୍ରାବାଦ ହୋଇଥିଲା ।
IPL ଟୁର୍ଣ୍ଣାମେଣ୍ଟରେ ୧୪ଟି ସଂସ୍କରଣ ଶେଷ ହୋଇସାରିଛି । ୧୫ତମ ସଂସ୍କରଣରେ ମଧ୍ୟ ଦର୍ଶକ ପୂର୍ବ ସଂସ୍କରଣ ତୁଳନାରେ ବୃଦ୍ଧିପାଇବାର ଢେର ସମ୍ଭାବନା ରହିଛି ।
ବର୍ଷ ୨୦୧୦ରେ ଦୁଇଟି ଫ୍ରାଞ୍ଚାଇଜ ପୁନେ ୱାରିୟର୍ସ ଇଣ୍ଡିଆ ଓ କୋଚି ଟସ୍କର୍ସ କେରଳ ଲିଗ୍ରେ ସାମିଲ ହୋଇଥିଲେ । ଫଳରେ ଆଇପିଏଲର ଚତୁର୍ଥ ସଂସ୍କରଣରେ ୨୦୧୧ରେ ୧୦ ଟିମ ଲିଗ୍ରେ ଅଳ୍ପ ସମୟ ପାଇଁ ଖେଳିଥିଲେ ।
ନଭେମ୍ବର ୨୦୧୧ରେ BCCIର ନିୟମ ଉଲଂଘନ ଅଭିଯୋଗରେ କୋଚି ଟସ୍କର୍ସ କେରଳ ଟିମକୁ ବାତିଲ ଘୋଷଣା କରାଯାଇଥିଲା । ପରେ ବୋର୍ଡ ସହ ମଦଭେଦ ଯୋଗୁଁ ୨୦୧୩ ଆଇପିଏଲରୁ ପୁନେ ୱାରିୟର୍ସ ଇଣ୍ଡିଆ ମଧ୍ୟ ଓହରି ଯାଇଥିଲା ।
ମାତ୍ର ୨୦୨୨ରେ ପୁନଃ ୧୦ ଟିମ ବିଶିଷ୍ଟ ଲିଗ ଖେଳାଯିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ