ମନୀଲା: ଭାରତୀୟ ବ୍ୟାଡମିଣ୍ଟନ ଟିମ ଏସିଆ ଟିମ ବ୍ୟାଡମିଣ୍ଟନ ଚମ୍ପିଆନସିପର ସେମିଫାଇନାଲରେ ଇଣ୍ଡୋନେସିଆ ଠାରୁ ପରାସ୍ତ ହୋଇଛି । ଯୁବ ଖେଳାଳି ଲକ୍ଷ୍ୟ ସେନ ଏସିଆ ଚମ୍ପିଆନ୍ ଜୋନାଥନ କ୍ରିଷ୍ଟୀକୁ ପରାସ୍ତ କରିଥିଲେ । କିନ୍ତୁ ଟିମ ଇଣ୍ଡିଆ ଗତ ଚମ୍ପିଆନ ଇଣ୍ଡୋନେସିଆ ଠାରୁ 2-3ରେ ପରାସ୍ତ ହୋଇଛି । ଫଳରେ ଭାରତକୁ କାଂସ୍ୟ ପଦକରେ ସନ୍ତୋଷ ହେବାକୁ ପଡିଛି ।
ଶନିବାର ଦିନ ସିଙ୍ଗଲ ମୁକାବିଲାରେ ଲକ୍ଷ୍ୟ ସେନ ଜବରଦସ୍ତ ପ୍ରଦର୍ଶନ କରି ଜୋନାଥନଙ୍କୁ 21-18,22-20ସେଟ୍ରେ ମାତ୍ ଦେଇଥିଲେ । ଫଳରେ ଭାରତ ଫାଇନାଲ ରେସ୍ ଦୌଡରେ ରହିଥିଲା । କିନ୍ତୁ ଡବଲ୍ସ ମୁକାବିଲାରେ ଏମ ଆର ଅର୍ଜୁନ ଓ ଧ୍ରୁବ କପିଲାଙ୍କ ଯୋଡି 3ଥର ବିଶ୍ବ ଚମ୍ପିଆନ ଯୋଡି ମହମ୍ମଦ ଅହସନ ଓ ସୋଟିୟାଓ୍ବାନଙ୍କ ଠାରୁ 10-21,21-14,21-23 ସେଟ୍ରେ ପରାସ୍ତ ହୋଇଥିଲେ । ଏହା ଫଳରେ ଭାରତ 2-1ରେ ପଛରେ ରହିଥିଲା ।
ଏହାପରେ ପୁଣି ଏକକ ବର୍ଗ ମୁକାବିଲାରେ ଭାରତର ଶୁଭଙ୍କର, ଶୋସାର ବିରେନ ଋସ୍ତାବିତୋଙ୍କୁ 21-17,21-15ରେ ପରାସ୍ତ କରିଥିଲେ । ଏହାପରେ ଭାରତୀୟ ଟିମ 2-2ରେ ଇଣ୍ଡୋନେସିଆ ସହ ମୁକାବିଲା ବରାବର କରିଥିଲା ।
ନିର୍ଣ୍ଣାୟକ ମୁକାବିଲା 2ୟ ଯୁଗଳ ମ୍ୟାଚରେ ଭାରତର ଚିରାଗ-ଲକ୍ଷ୍ୟ ୟୋଡି ବିଶ୍ବର ନଂ1 ଯୋଡି ମାର୍କସ ଗିଡିୟୋନ -କେଭିନ ସଞ୍ଜୟା ସୁକାମୁଲଜିୟୋଙ୍କ ଠାରୁ ପରାସ୍ତ ହୋଇଥିଲେ । ଫଳରେ ଇଣ୍ଡୋନେସିଆ ଟିମ 3-2ରେ ଆଗୁଆ ରହି ଫାଇନାଲରେ ପ୍ରବେଶ କରିଛି ।
ଏପଟେ ଭାରତୀୟ ପୁରୁଷ ଟିମ ଏହି ଚମ୍ପିଆନ ସିପ୍ରେ 2ୟଥର କାଂସ୍ୟ ପଦକ ହାସଲ କରିଛି । ଏହା ପୂର୍ବରୁ ଭାରତ 2016ରେ କାଂସ୍ୟ ଜିତିଥିଲା ।