ସିଡନୀ: କୋରୋନା ମହାମାରୀ ଯୋଗୁଁ ଏବେ ସବୁ ବଡ ପ୍ରୋଗାମ ବାତିଲ ହୋଇଛି । ତେବେ ଏପରି ସମୟରେ ଅନଲାଇନର ଚାହିଦା ବଢିଯାଇଛି । ସମସ୍ତ ପ୍ରକାର ବଲିଉଡ ଓ ହଲିଉଡ ଫିଲ୍ମ ସହ ନୂଆ ୱେବ ସିରିଜ ଅନଲାଇନରେ ଲଞ୍ଚ ହେଉଛି । ଅନଲାଇନର ଚାହିଦା ଲକ୍ଷ୍ୟ କରି ଏବେ ପ୍ରସିଦ୍ଧ ସିଡନୀ ଫିଲ୍ମ ଫେଷ୍ଟିଭାଲକୁ ଏଠାରେ ଲଞ୍ଚ କରିବାର ନିଷ୍ପତ୍ତି ନେଇଛନ୍ତି ଆୟୋଜକ ।
ପୂର୍ବରୁ ଏବର୍ଷ ପାଇଁ ଫିଲ୍ମ ଫେଷ୍ଟିଭାଲକୁ ଘୁଞ୍ଚାଇବାର ନିଷ୍ପତ୍ତି ନେଇଥିଲେ ମେକର୍ସ । ଜୁନରେ ଏହା ହେବାକୁ ସ୍ଥିର ହୋଇଥିବାବେଳେ କୋରୋନା ମୁକାବିଲା ଦୃଷ୍ଟିରୁ ଏହାକୁ ବାତିଲ କରାଯାଇଥିଲା । ହେଲେ ଏବେ ଏହାକୁ ଅନଲାଇନରେ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଆୟୋଜକ । ଫେଷ୍ଟିଭାଲର ଅନଲାଇନ ଆୟୋଜନ ଜୁନ 10ରୁ ଜୁନ 21 ଯାଏଁ ହେବ ବୋଲି ସୂଚନା ମିଳିଛି ।
11 ଦିନ ବ୍ୟାପୀ ଏହି ଡିଜିଟାଲ ଫେଷ୍ଟିଭାଲରେ ଅଷ୍ଟ୍ରେଲିଆର ବିଭିନ୍ନ ନିର୍ଦ୍ଦେଶକଙ୍କ ୱାର୍ଲଡ ପ୍ରିମିୟର ସହ ଅନେକ ଡକ୍ୟୁମେଣ୍ଟାରୀ ଫିଲ୍ମର ପ୍ରଦର୍ଶନ ହେବ । ୟୁରୋପର ଅନେକ ମହିଳା ନିର୍ଦ୍ଦେଶକଙ୍କ ଫିଲ୍ମର ପ୍ରସାରଣ ମଧ୍ୟ ଏହି ଅନଲାଇନରେ ହେବ ବୋଲି ଜଣାପଡିଛି । ମେ 27ରେ 67 ତମ ସିଡନୀ ଫିଲ୍ମ ଫେଷ୍ଟିଭାଲର ଟିକେଟ ବିକ୍ରି ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉନ୍ମୋଚିତ କରାଯିବ । ଏହାସହ ଫେଷ୍ଟିଭାଲରେ ଦେବାକୁ ଥିବା ସମସ୍ତ ପୁରସ୍କାର ମଧ୍ୟ ଅନଲାଇନରେ ଘୋଷଣା ହେବା ସହ ପ୍ରଦାନ କରାଯିବ । ପୂର୍ବରୁ କୋଭିଡ 19 ପାଇଁ ଏବର୍ଷର କାନ୍ସ ଫେଷ୍ଟିଭାଲ ବାତିଲ ହୋଇସାରିଛି ।